୧୦ବର୍ଷ ତଳ ଘଟଣାର ପୁନରାବୃତ୍ତି : ଚିଦାମ୍ବରମଙ୍କ ସମୟରେ ଗିରଫ ହୋଇଥିଲେ ଅମିତ ଶାହ, ଶାହଙ୍କ ସମୟରେ ଗିରଫ ହେବେ କି ଚିଦାମ୍ବରମ୍?

470

କନକ ବ୍ୟୁରୋ : ପ୍ରାୟ ୧୦ବର୍ଷ ତଳ ଘଟଣାର ପୁନରାବୃତ୍ତି । ୟୁପିଏ ଶାସନ ସମୟରେ ପି ଚିଦାମ୍ବରମ ଗୃହମନ୍ତ୍ରୀ ଥିବା ବେଳେ  ଗିରଫ ହୋଇ ଜେଲ୍ ଯାଇଥିଲେ ଅମିତ ଶାହ । ଠିକ୍ ସେପରି ଭାବେ ଏବେ ଅମିତ ଶାହା ଗୃହମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆ ମାମଲାରେ ଗିରଫଦାରୀ ଭୟରେ ଲୁଚିଯାଇଛନ୍ତି ପି ଚିଦାମ୍ବରମ ।

ସମୟର ଚକା ଭଉଁରୀ ଭିତରେ ଯେମିତି ବଦଳି ଯାଇଛି ସବୁ କିଛି । ଯେଉଁ ଗୃହମନ୍ତ୍ରୀ ଆସନରେ ଦିନେ ପି. ଚିଦାମ୍ବରମ୍ ଥିଲେ, ସେହି ଆସନରେ ଆଜି ଅମିତ ଶାହା । ଚିଦାମ୍ବରମ ଗାଦିରେ ବସିଥିବା ବେଳେ ଅମିତ ଶାହାଙ୍କ କ୍ଷେତ୍ରରେ ଯାହା ଘଟିଥିଲା, ଆଜି ଅମିତ ଶାହା ଗାଦିରେ ବସିଥିବା ବେଳେ ଚିଦାମ୍ବରମଙ୍କ କ୍ଷେତ୍ରରେ ଠିକ୍ ସମାନ ଘଟଣା ଘଟିବାର ଆଶଙ୍କା କରାଯାଉଛି ।

୨୫ଜୁଲାଇ, ୨୦୧୦, ଶୋହରାବୁଦ୍ଦିନ ଶେଖ ଏନକାଉଂଟର ମାମଲାରେ ଶାହାଙ୍କୁ ଗିରଫ କରିଥିଲା ସିବିଆଇ । ଶାହାଙ୍କ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ୩ମାସ ପର୍ଯ୍ୟନ୍ତ ଜେଲରେ ରହିଥିଲେ ଶାହା । କେବଳ ଏତିକି ନୁହେଁ ୨ବର୍ଷ ଗୁଜରାଟ ବାହାରେ ରହିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ପରେ ଗୁଜରାଟ ହାଇକୋର୍ଟ ଅମିତ ଶାହାଙ୍କୁ ଏହି ମାମଲାରେ ଜାମିନ ଦେଇଥିଲେ ।

୨୦୧୦ରେ ଅମିତ ଶାହାଙ୍କ ଗିରଫଦାରୀ ସମୟରେ ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ବରମ । ସେହି ସମୟରେ ରାଜେନୈତିକ ଫାଇଦା ପାଇଁ କେନ୍ଦ୍ର ସିବିଆଇର ଦୁର୍ବବ୍ୟହାର କରୁଥିବା ଅଭିଯୋଗ କରିଥିଲା ବିଜେପି । ଆଉ ଯଦି ଘଟଣାକ୍ରମକୁ ଦେଖାଯାଏ ଠିକ୍ ସେହିଭଳି ଏକ ଘଟଣାର ଘଟିବାର ଆଶଙ୍କା କରାଯାଉଛି ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଖୋଜୁଛି ସିବିଆଇ ଓ ଇଡି । କୌଣସି ମୂହୂର୍ତରେ ବି ଗିରଫ ହୋଇପାରନ୍ତି ଚିଦାମ୍ବରମ । ଗୋଟିଏ ପଟେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଝଟକା ଆଉ ଗୋଟିଏ ପଟେ ଜାରି ହୋଇଛି ଲୁକ୍ଆଉଟ୍ ନୋଟିସ । ଏସବୁ ଭିତରେ ଚିଦାମ୍ବରମଙ୍କ ଗିରଫଦାରୀ ଆଶଙ୍କା ଆହୁରୀ ବଢ଼ିଯାଇଛି । ଆଉ ଯଦି ଏହା ହୁଏ, ତେବେ ରାଜନୈତିକ ଘଟଣାର ପୁନରାବୃତ୍ତି ହେଲା ବୋଲି କୁହାଯାଇପାରିବ ।