ଓଡିଶାରେ କେନ୍ଦ୍ରର ବିକାଶ ଯୋଜନା ! ୪ ଶହଟି ଅବହେଳିତ ଗାଁ ହେବ ସ୍ୱୟଂ ସମ୍ପୂର୍ଣ୍ଣ ଗ୍ରାମ, ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

29

କନକ ବ୍ୟୁରୋ : ଓଡିଶାର ୪୦୦ଟି ଅବହେଳିତ ଗ୍ରାମକୁ ସ୍ୱୟଂ ସମ୍ପୂର୍ଣ୍ଣ ଗ୍ରାମ ଭାବରେ ଘୋଷଣା କରାଯିବ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୁରଭଂଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀର ହରିପୁର ଗାଁରେ ଏହି ଯୋଜନାର ଶୁଭାରମ୍ଭ କରିବେ । ଦେଶର ୨୧ ହଜାର ଅବହେଳିତ ଗାଁକୁ ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମରେ ସାମିଲ କରା ଯିବ । ଏଥିରେ ରହିଛି ଓଡିଶାର ୪ଶହଟି ଗାଁ । ଯୋଜନା ରେ ସାମିଲ ହୋଇଥିବା ଗାଁ ଗୁଡିକରେ ସମସ୍ତଙ୍କ ଘରେ ଉଜ୍ଜଳା ଯୋଜନାରେ ଗ୍ୟାସ୍ ଯୋଗାଇ ଦିଆଯିବ । କେନ୍ଦ୍ରସରକାରଙ୍କ ସୌଭାଗ୍ୟ ଯୋଜନା ଅନୁଯାୟୀ ପ୍ରତି ପରିବାରକୁ ମାଗଣାରେ ବିଜୁଳି ଯୋଗାଇଦିଆଯିବ । ପ୍ରତି ଘରେ ଜନଧନ ଆକାଉଂଟ୍ ସହ ସୁରକ୍ଷା ଓ ଜୀବନ ବିମା ପ୍ରଦାନ କରାଯିବ । ମିସନ ଇନ୍ଦ୍ରଧନୁଷ ଯୋଜନାରେ ଗାଁରେ ରହୁଥିବା ପ୍ରତ୍ୟକ ମା ଓ ଶିଶୁକୁ ମାଗଣା ଟୀକାକରଣ କରାଯିବ ।

ସେପଟେ ଗତକାଲି ବିଜେପି ପକ୍ଷରୁ ମଧ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କଟକର ସତୀଚୌରା ଛକ ନିକଟସ୍ଥ ବିଏସଏନଏଲ ପଡିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶେଷ କରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ତାଲିମ ବ୍ୟବସ୍ଥା ରହିଛି । କଟକର ପ୍ରସିଦ୍ଧ ତାରକସି କାମରେ ନିୟୋଜିତ ଶ୍ରମିକଙ୍କ ପାଇଁ ମଧ୍ୟ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଗ୍ୟାସ ପାଇପଲାଇନ୍ ପ୍ରକଳ୍ପ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି । ଏହା ସହ ରିକଗନିସନ୍ ଅଫ୍ ପ୍ରାୟର ଲର୍ଣିଂ ବା ଆରପିଏଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।