ସିବିଏସଇ ଦ୍ୱାଦଶ ଶ୍ରେଣୀ ପୁନଃପରୀକ୍ଷା ପାଇଁ ତାରିଖ ଘୋଷଣା ! ଆସନ୍ତା ୨୫ରେ ଅର୍ଥଶାସ୍ତ୍ର ପରୀକ୍ଷା, କେବଳ ହରିୟାଣା ଓ ଦିଲ୍ଲୀରେ ହେବ ଦଶମ ଗଣିତ ପରୀକ୍ଷା

47

କନକ ବ୍ୟୁରୋ : ସିିବିଏସଇ ପ୍ରଶ୍ନପତ୍ର ଲିକ୍ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁନଃ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ୍ ୨୫ ତାରିଖରେ ପ୍ରଶ୍ନ ଲିକ୍ ହୋଇଥିବା ଦ୍ୱାଦଶ ଶ୍ରେଣୀର ଇକୋନୋମିକ୍ସ ପରୀକ୍ଷା ହେବ । ଏ ନେଇ ସୂଚନା ଦେଇଛନ୍ତିି କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ । ଏହି ପରୀକ୍ଷା ସାରା ଦେଶରେ କରାଯିବାକୁ ନିଷ୍ପତି ନିଆଯାଇଛି । ଓଡ଼ିଶାରେ ମଧ୍ୟ ପୁଣି ଥରେ ଦ୍ୱାଦଶ ଶ୍ରେଣୀର ଇକୋନମିକ୍ସ ପରୀକ୍ଷା ହେବ । ତେବେ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ନେଇ କିଛି ଘୋଷଣା କରାଯାଇନାହିଁ । ଯଦି ପୁଣି ଥରେ ପରୀକ୍ଷା ହୁଏ, ତେବେ କେବଳ ଦିଲ୍ଲୀ ଓ ହରିୟାଣାରେ ହେବ ବୋଲି ସ୍ପଷ୍ଟ କରାଯାଇଛି । ଏହି ଦୁଇଟି ଅଂଚଳରେ ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ସେଠାରେ ହିଁ ପୁନଃପରୀକ୍ଷା ହୋଇପାରେ । ଏ ନେଇ ୧୫ ଦିନ ମଧ୍ୟରେ ନିଷ୍ପତି ନିଆଯିବ । ଆସନ୍ତା ଜୁଲାଇ ମାସରେ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇପାରେ ବୋଲି କହିଛନ୍ତି ଶିକ୍ଷା ସଚିବ । ଗୋଟିଏ ପଟେ ସରକାରଙ୍କ ଘୋଷଣା ଅନ୍ୟପଟେ ପ୍ରଶ୍ନପତ୍ର ପେପର୍ ଲିକ୍ ନେଇ ଜାରି ରହିଛି ବିକ୍ଷୋଭ ଓ ପ୍ରତିବାଦ ।

 

ସେପଟେ ହ୍ୱାଟସଆପ୍ ଗ୍ରୁପ ଜରିଆରେ କୋଶ୍ଚିନ୍ ପେପର୍ ଲିକ୍ ହୋଇଥିବା ନେଇ ସଂଦେହ ଉପରୁ ପରଦା ଉଠାଇଛି ଦିଲ୍ଲୀ କ୍ରାଇମବ୍ରାଂଚ । ୧୦ଟି ହ୍ୱାଟସଆପ୍ ଗ୍ରୁପକୁ ଚିହ୍ନଟ କରାଯାଇଛି । ପ୍ରତି ଗ୍ରୁପରେ ରହିଛନ୍ତି ୫୦ ଲେଖାଏଁ ସଦସ୍ୟ । ଏମାନଙ୍କ ମଧ୍ୟରେ ଅଛନ୍ତି ଛାତ୍ର, ଅଭିଭାବକ ଓ କୋଚିଂ ସେଂଟର ମାଂଲିକ । ସେମାନଙ୍କ ଠାରୁ ମୋବାଇଲ୍ ଫୋନ୍ ଜବତ କରିବା ସହ ଏହି ଆଧାରରେ ତଦନ୍ତ ଆଗକୁ ବଢାଉଛି କ୍ରାଇମବ୍ରାଂଚ । ୧୦ ଜଣଙ୍କୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କ୍ରାଇମବ୍ରାଂଚ କହିଛି ପାଖାପାଖି ୧୦୦୦ ଜଣ ଛାତ୍ର ଲିକ୍ ହୋଇଥିବା ପ୍ରଶ୍ନପତ୍ର ପାଇଛନ୍ତି । କୋଚିଂ ସେଂଟରରୁ ୩୫ ହଜାର ଟଙ୍କା ଦେଇ ପ୍ରଶ୍ନପତ୍ର ପାଇଥିବା ବ୍ୟକ୍ତି ୫ ହଜାର ଟଙ୍କାରେ ଅନ୍ୟମାନଙ୍କୁ ବାଂଟିଛନ୍ତି ।

CBSE

ସେପଟେ ୬ ଜଣ ଛାତ୍ରଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସିବିଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ସହଦୁଇ ଘଂଟା ଧରି ପରୀକ୍ଷାର ଟିକିନିକି ପ୍ରକ୍ରିୟା ବୁଝିଛି କ୍ରାଇମବ୍ରାଂଚ । ଗୋଟିଏ ପଟେ ତଦନ୍ତ ପ୍ରକ୍ରିୟାକୁ ପୋଲିସ ଜୋରଦାର୍ କରିଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଓ ପୁନଃ ପରୀକ୍ଷା ନିଷ୍ପତି ବିରୋଧରେ ଆଜି ମଧ୍ୟ ପ୍ରତିବାଦ ଜାରି ରହିଛି । ଦିଲ୍ଲୀସ୍ଥିତ ସିବିଏସଇ କାର୍ଯ୍ୟାଳୟ ନିକଟରେ ଜୋରଦାର ବିକ୍ଷୋଭ କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କ ବାସଭବନ ନିକଟରେ ୧୪୪ ଧାରା ଜାରି କରାଯାଇଛି । ଯେଉଁ ଇମେଲ୍ ଜରିଆରେ ହାତଲେଖା କୋଶ୍ଚିନ୍ ପେପରର ଫଟୋ କପି ସିବିଏସଇ ଅଧ୍ୟକ୍ଷଙ୍କ ନିକଟକୁ ଆସିଥିଲା, ତାକୁ ଯାଂଚ କରାଯାଉଛି । ଜିମେଲ୍ ଆଇଡିରୁ ଏହି ଇମେଲ୍ ଆସିଥିବାରୁ ଗୁଗୁଲକୁ ଏ ନେଇ ଚିଠି ଲେଖିଛି କ୍ରାଇମବ୍ରାଂଚ୍ ।

ଦୁଇଟି କୋଶ୍ଚିନ୍ ପେପର୍ ଲିକ୍ ସାମନାକୁ ଆସିଥିବା ବେଳେ ଆହୁରି କିଛି ପେପର୍ ଲିକ୍ ହୋଇଥିବା ନେଇ ମଧ୍ୟ ସଂଦେହ ପ୍ରକାଶ ପାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟକୁ ଦାୟୀ କରି ପ୍ରକାଶ ଜାଭେଡ଼କରଙ୍କୁ କଡ଼ା ସମାଲୋଚନା କରାଯାଉଛି । ସିବିଏସ୍ଇ ମାଧ୍ୟମରେ ପରୀକ୍ଷା ଦେଉଥିବା ପ୍ରାୟ ୨୮ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହ ଖେଳାଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ଟୁଇଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।