ଚିଦାମ୍ବରମଙ୍କୁ ବଡ଼ ଝଟକା : ଜାମିନ୍ ଆବେଦନ ଖାରଜ, ୫ ଦିନିଆ ସିବିଆଇ ରିମାଣ୍ଡରେ ପୂର୍ବତନ ଅର୍ଥମନ୍ତ୍ରୀ

212

କନକ ବ୍ୟୁରୋ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଲାଗିଛି ବଡ଼ ଝଟକା । ୫ ଦିନିଆ ସିବିଆଇ ରିମାଣ୍ଡରେ ଯାଇଛନ୍ତି ପି. ଚିଦାମ୍ବରମ । ସିବିଆଇ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛି । ଅର୍ଥାତ ୨୬ ତାରିଖ ଅର୍ଥାତ୍ ସୋମବାର ପର୍ଯ୍ୟନ୍ତ ସିବିଆଇ କଷ୍ଟୋଡିରେ ରହିବେ ଚିଦାମ୍ବରମ । ଦୁଇ ଦିନର ଡ୍ରାମା ପରେ ଆଇଏନ୍ଏକ୍ସ ମଡିଆ ମନି ଲଣ୍ଡରିଂ ମାମଲାରେ ଗତକାଲି ରାତିରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ ।

ଆଜି ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ସେ ମାମଲାରେ ସହଯୋଗ କରୁନଥିବାରୁ ଅଧିକ ପଚରାଉଚରା କରିବା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ସିବିଆଇ । ତେବେ ଏହାକୁ ବିରୋଧ କରିଥିଲେ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି । ଏଫଆଇଆରରେ ତାଙ୍କ ନାଁ ଉଲ୍ଲେଖ ନଥିବା କୋର୍ଟଙ୍କୁ କହିବା ସହ ଜାମିନ୍ ଦେବା ଲାଗି ଯୁକ୍ତି ଦର୍ଶାଇଥିଲେ । କୌଣସି ଟଙ୍କା କାରବାରରେ ସେ ସଂପୃକ୍ତ ନଥିବା ଦର୍ଶାଇଥିଲେ ଚିଦାମ୍ବରମ ।

୩ ଘଂଟାର ଶୁଣାଣୀ ପରେ ଏସବୁ ଯୁକ୍ତିକୁ ଅଗ୍ରାହ୍ୟ କରି ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତା ସୋମବାର ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ ପୂର୍ବତନ ଅର୍ଥମନ୍ତ୍ରୀ । ଦିନକୁ ମାତ୍ର ୩୦ ମିନିଟ୍ ପାଇଁ ଚିଦାମ୍ବରମ, ତାଙ୍କ ପରିବାର ଲୋକ ଓ ତାଙ୍କ ଓକିଲକୁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି ।