କ୍ୟାନସର କବଳରେ ଓଡିଶା ! ରାଜ୍ୟରେ ଦୈନିକ ୬୯ କର୍କଟ ରୋଗୀଙ୍କ ମୃତ୍ୟୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ

25

କନକ ବ୍ୟୁରୋ : ଓଡିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ । ଦୈନିକ କ୍ୟାନସର ରୋଗରେ ହେଉଛି ୬୯ ଜଣଙ୍କ ମୃତ୍ୟୁ । ଏମିତି ଏକ ଚାଚଲ୍ୟକର ତଥ୍ୟ ଏବେ ସାମନାକୁ ଆସିଛି । କ୍ୟାନସର ରୋଗରେ ମୃତ୍ୟୁ ସଂପର୍କିତ ଏକ ରିପୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ଦାଖଲ ହେବା ପରେ ଏହା ଜଣାପଡିଛି । ଏହି ତଥ୍ୟ ଅନୁଯାୟୀ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ । ଏବଂ ପ୍ରତିବର୍ଷ ଏହି ରୋଗରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଆମ ରାଜ୍ୟରେ ସର୍ବାଧିକ ।
ଏବେ ଆସନ୍ତୁ ଜାଣିବା କେଉଁ ବର୍ଷ ଓଡିଶାର କେତେ କ୍ୟାନସର ରୋଗୀ ପ୍ରାଣ ହରାଇଛନ୍ତି ?

କେନ୍ଦ୍ରର ରିପୋର୍ଟ ଅନୁଯାୟୀ ୨୦୧୬ରେ ଦୈନିକ ୬୯ ଜଣଙ୍କ କ୍ୟାନସର ରୋଗରେ ମୃତ୍ୟୁ ହୋଇଛି । ଏହି ବର୍ଷ ୪୯ ହଜାର ୬୭୪ ଜଣ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୨୫ ହଜାର ୩୫ । ସେହିପରି ୨୦୧୫ରେ ୪୭ ହଜାର ୬୬୬ ଜଣଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିବା ବେଳେ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଥିଲା ୨୪ ହଜାର ୧୯ । ୨୦୧୪ ବର୍ଷରେ ମଧ୍ୟ ଚିହ୍ନଟ ହୋଇଥିବା କ୍ୟାନସର ରୋଗୀଙ୍କ ସଂଖ୍ୟା ଥିଲା ୪୫ ହଜାର ୭୩୬ । ଆଉ ସେହି ବର୍ଷ ଏହି ପ୍ରାଣଘାତୀ ରୋଗରେ ୨୩ ହଜାର ୪୩ ଜଣଙ୍କ ଜୀବନ ଯାଇଥିଲା । ତେଣୁ ଓଡିଶାରେ କଳାହାଣ୍ଡି, ସମ୍ବଲପୁର ଓ ବ୍ରହ୍ମପୁରରେ କ୍ୟାନସର କେୟାର ସେଂଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ କଟକରେ ମଧ୍ୟ ଏକ ଷ୍ଟେଟ୍ କେୟାର ସେଂଟର ନିର୍ମାଣ ପାଇଁ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।