ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ : ଦିନ ୨ଟାରୁ ୬ ଘଂଟା ଧରି ଆଲୋଚନା ପରେ ଭୋଟିଂ,ସଂଖ୍ୟା ଦୃଷ୍ଟିରୁ ଏନଡିଏ ଆଗରେ

229

କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ ୨୦୧୯ । ଦିନ ୨ଟାରେ ରାଜ୍ୟସଭାରେ ଆସିବ ବିଲ୍ । ସୋମବାର ଲୋକସଭାରେ ବହୁମତରେ ନାଗରିକତା ସଂଶୋଧନ ବିଲ ପାରିତ ହେବା ପରେ ଆଜି ରାଜ୍ୟସଭାରେ ବିଲକୁ ପାରିତ କରିବା ଏନଡିଏ ପାଇଁ ଚ୍ୟାଲେଂଜ ହେବ । ଲୋକସଭାରେ ବିଲ ସପକ୍ଷରେ ୩୧୧ ଓ ବିପକ୍ଷରେ ୮୦ ଭୋଟ ବିଲ୍ ପାରିତ କରିଥିବା ଏନଡିଏ ପାଖରେ କିନ୍ତୁ ରାଜ୍ୟସଭାରେ ବିଜେପି ପାଖରେ ସଂଖ୍ୟାର ଅଭାବ ରହିଛି । ତେବେ ସହଯୋଗୀ ଦଳ ଓ ଆଂଚଳିକ ଦଳ ବିଲକୁ ସମର୍ଥନ ଦେଲେ ବିଲ ଅନାୟାସରେ ପାରିତ ହୋଇପାରିବ ।

ରାଜ୍ୟସଭାରେ ବର୍ତ୍ତମାନ ସଂଖ୍ୟା ରହିଛି ୨୪୦ । ତେଣୁ ବିଲ ପାରିତ କରିବାକୁ ଆବଶ୍ୟକ ୨୨୧ଟି ଭୋଟ । ଏନଡିଏ ମେଂଟ ପାଖରେ ରହିଛି ୧୦୬ ସାଂସଦ । ବିଜେପିର ୮୩, ଜେଡିୟୁର ୬ , ଶିରୋମଣି ଅକାଳୀ ଦଳର ୩, ଆରପିଆଇ-୧ ଓ ଅନ୍ୟ ଦଳର ୧୩ ସାଂସଦ ରହିଛନ୍ତି । ସେହିପରି ୟୁପିଏ ପାଖରେ ରହିଛି ୬୨ ସାଂସଦଙ୍କ ସମର୍ଥନ । ୟୁପିଏରେ କଂଗ୍ରେସର ୪୪, ଆରଜେଡି -୪, ଏନସିପି-୪, ଡିଏମକେ-୫ ଓ ଅନ୍ୟାନ୍ୟ ତନି ଜଣ ସାଂସଦ ରହିଛନ୍ତି ।

ସେହିପରି ଏନଡିଏ କିମ୍ବା ୟୁପିଏ ମେଂଟର ନଥିବା ସାଂସଦଙ୍କ ସଂଖ୍ୟା ହେଉଛି ୭୨ । ସେମାନଙ୍କ ମଧ୍ୟରୁ ୯ଟି ରାଜନୈତିକ ଦଳର ୪୪ ଜଣ ସାଂସଦ ବିଲ ବିରୋଧରେ ଥିବା ବେଳେ ୬ଟି ରାଜନୈତିକ ଦଳର ୨୮ ଜଣ ସାଂସଦ ବିଲ ସମର୍ଥନରେ ଅଛନ୍ତି । ତେବେ ବିଲକୁ ଲୋକସଭାରେ ସମର୍ଥନ କରିଥିବା ଶିବସେନା ଓ ଜେଡିୟୁ ରାଜ୍ୟସଭାରେ ମତ ବଦଳାଇବାର ସଙ୍କେତ ମିଳୁଛି । ତେଣୁ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାରିତ ହେବା ନେଇ ଆଶଙ୍କା ଦେଖା ଦେଇଛି ।

ଏବେ ଆସନ୍ତୁ ଜାଣିବା ରାଜ୍ୟସଭାର ଗଣିତ କଣ ?

 ରାଜ୍ୟସଭାରେ ବର୍ତ୍ତମାନ ମୋଟ ସାଂସଦଙ୍କ ସଂଖ୍ୟା ହେଉଛି ୨୪୦ । ଆଉ ବିଲ ପାଶ କରିବାକୁ ୧୨୧ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଏନଡିଏ ନିକଟରେ  ୧୧୬ ଜଣ ସାଂସଦଙ୍କ ସମର୍ଥନ ଅଛି ।  ବିଜେଡିର ୭ ଜଣ ସାଂସଦ ବିଲକୁ ସମର୍ଥନ କରିବେ । ସେହିଭଳି ୱାଇଏସଆରକଂଗ୍ରେସର ୨ ଜଣ ସାଂସଦ ବିଲକୁ ସମର୍ଥନ କରିପାରନ୍ତି । ଅର୍ଥାତ ଏନଡିଏକୁ ମୋଟ ୧୨୫ ଜଣ ସାଂସଦଙ୍କ ସମର୍ଥନ ମିଳିପାରେ । ସେହିଭଳି ଜେଡିୟୁ ଓ ଶିବସେନା  ଲୋକସଭାରେ ବିଲକୁ ସମର୍ଥନ କରିଥିଲେ ବି ରାଜ୍ୟସଭାରେ ଆଭିମୁଖ୍ୟ ନେଇ  ସ୍ଥିତି ଅସ୍ପଷ୍ଟ ରହିଛି । ଟିଆରଏସର ୬ ଜଣ ସାଂସଦ ବିଲକୁ ବିରୋଧ କରିବେ ।