ଖାକି ବର୍ଦ୍ଦିର ଜୁଲମ୍ : ସିଏଏକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ମହିଳା, ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ୍

316

କନକ ବ୍ୟୁରୋ : ଖାକି ବର୍ଦ୍ଦିର ଜୁଲମ୍ । ଶେଷରେ ମହିଳା ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ବି ଛାଡ଼ିଲାନି ପୋଲିସ୍ । ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳାଙ୍କୁ ୟୁପି ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଲା । ଏହି ଘଟଣାର ଫୁଟେଜ୍ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ମହିଳାଙ୍କ ଉପରେ ଅତ୍ୟାଚାର କରି ରାଗ ମେଣ୍ଟିଲାନି ଯେ ଉକ୍ତ ସ୍ଥାନରେ ଖୋଲାଥିବା ଦୋକାନ ଗୁଡ଼ିକୁ ଜୋରଜବରଦସ୍ତି ବନ୍ଦ କରିଦେଇଥିଲେ ।

ସାଧାରଣ ଜନତାଙ୍କ ଉପରେ ପୋଲିସର ଦବଙ୍ଗଗିରି । ବିକ୍ଷୋଭ ପ୍ରଦର୍ଶନ ସମୟରେ ଦମନଲୀଲା କରିଛନ୍ତି ପୋଲିସକର୍ମୀ । ସିଏଏକୁ ବିରୋଧ କଲେ ବୋଲି ମହିଳାଙ୍କ ଉପରେ ବି ବର୍ଷିଗଲେ । କିଛି ଜାଣିବା ପୂର୍ବରୁ ମହିଳା ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ଦେ ଦନାଦନ ମାରି ଚାଲିଲେ । ଭିଡ଼ିଓ କ୍ଲିପରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ପୋଲିସ ଗଳିକନ୍ଦିରେ ମହିଳାଙ୍କୁ ପିଛା କରିବା ସହ ଜୋରରେ ମାଡ଼ ମାରୁଛି । ପ୍ରଦର୍ଶନରୁ ଓହରିିବା ପାଇଁ ମହିଳାଙ୍କ ଉପରେ ଲାଠିମାଡ଼ ବର୍ଷା କରୁଛି । ୧୭ ସେକେଣ୍ଡର ଏହି ଭିଡ଼ିଓରେ ଦେଖାଯାଉଛି ମହିଳାମାନେ ମାଡ଼ରୁ ରକ୍ଷା ପାଇବା ପାଇଁ ପ୍ରାଣ ବିକଳରେ ଚିତ୍କାର କରୁଛନ୍ତି । ହେଲେ ପୋଲିସବାବୁମାନେ କିଛି ବି ଶୁଣିବାକୁ ନାରାଜ ।

ତେବେ ମହିଳାଙ୍କୁ ମାଡ଼ ମାରୁଥିବା ପୋଲିସକର୍ମୀମାନ ମହିଳା ନା ପୁରୁଷ ଠିକରେ ଜଣାପଡ଼ୁନାହିଁ ।  ପୋଲିସ୍ ସୂତ୍ର ଅନୁସାରେ ମହିଳା ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ କେବଳ ମହିଳା ପୋଲିସକର୍ମୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ ଗତକାଲି ମଧ୍ୟାହ୍ନ ସମୟରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା । ଆରମ୍ଭରେ ପ୍ରାୟ ୧୫୦ ଜଣ ମହିଳା ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । କିନ୍ତୁ ରାତି ବଢ଼ିବା କ୍ରମେ ଏହି ସଂଖ୍ୟା ୫୦୦ରେ ପହଞ୍ଚିଥିଲା । । ବଢ଼ୁଥିବା ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଦେଖି ପୋଲିସ ଏପରି ଦମନଲୀଳା ଚଳାଇଥିଲା ।

ହେଲେ ଏଇଠି ପ୍ରଶ୍ନ ଉଠୁଛି କାର୍ଯ୍ୟାନୁଷ୍ଠାନ ନାମରେ ଏ କି ପ୍ରକାର ଆଇନ୍ ବ୍ୟବସ୍ଥା ? ସିଏଏକୁ ବରୋଧ କରି ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ୟୁପିରେ ମଧ୍ୟ ଅନେକ ସହରରେ ସିଏଏକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି ।  ସେ ଯାହା ବି ହେଉ ସାଧାରଣ ଜନତାଙ୍କ ଉପରେ ପୋଲିସର ଏପରି ଜୁଲମ୍ କେତେଦୂର ଯୁକ୍ତିଯୁକ୍ତ ।