ସରକାରଙ୍କ ବଜେଟ୍‌ ବିଗାଡ଼ିବ ଜିଏସଟି ! ମନ୍ଥର ହେଲାଣି ଅର୍ଥନୈତିକ ଅଭିବୃଦ୍ଧି

25

କନକ ବ୍ୟୁରୋ : ସରକାରଙ୍କ ଟିକସ ସଂଗ୍ରହ ଆଶାନୁରୂପ ହେଉନାହିଁ । ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ମନ୍ଥର ହେଲାଣି । ଏହି ଦୁଇଟି କାରଣ ଯୋଗୁଁ ସରକାରଙ୍କ ବଜେଟ୍‌ ଗଡ଼ବଡ଼ ହେବାକୁ ବସିଲାଣି । ଫଳରେ ସରକାର ରେଳ ଏବଂ ରାଜପଥ ବିକାଶ ଭଳି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପରେ ଖର୍ଚ୍ଚକାଟ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କଲେଣି । ଜୁଲାଇରେ ସରକାର ମୋଟ ୭.୮ ବିଲିଅନ ଡଲାରର ଟିକସ ଆଦାୟ କରିଛନ୍ତି ।

ଜୁଲାଇ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଟିକସ ରାଜସ୍ୱର ଅଧାରୁ ସାମାନ୍ୟ ଅଧିକ ଟିକସ ଆଦାୟ ହୋଇଛି । ଦେଶରେ ଅଧିକାଂଶ କମ୍ପାନି ଜିଏସ୍‌ଟି ଅନୁଯାୟୀ ଟିକସ ଦେବାରେ ବିଫଳ ହେବା କାରଣରୁ ଟିକସ ସଂଗ୍ରହ କମିଛି । ଏତଦ୍‌ ବ୍ୟତୀତ ଅର୍ଥନୀତି ପାଇଁ ଅନ୍ୟ ବଡ଼ ଉଦ୍‌ବେଗ ହେଲା ଜିଡିପି ଅଭିବୃଦ୍ଧି କମିିବା । ଜିଡିପି ଅଭିବୃଦ୍ଧି ଗତ ତ୍ରୈମାସରେ ୩ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସି ୫.୭% ରହିଛି । ସରକାରୀ ଖର୍ଚ୍ଚ କମିଲେ ଅଭିବୃଦ୍ଧି ଆହୁରି ତଳକୁ ଖସିବା ଆଶଙ୍କା ରହିଛି । ଟିକସ ରାଜସ୍ୱ କମ୍‌ ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ପ୍ରିୟ ପ୍ରକଳ୍ପଗୁଡ଼ିକର ଖର୍ଚ କାଟ କରିବାକୁ ବାଧ୍ୟ ହୋଇପାରନ୍ତି ।