ସହିଦଙ୍କୁ ଅସମ୍ମାନ ! ହୃଦଘାତରେ ପ୍ରାଣ ହରାଇଥିବା ଯବାନଙ୍କୁ ଗାର୍ଡ ଅଫ ଅନର ନେଇ ବିଷମ ସ୍ଥିତି । ପରିବାର ସଦସ୍ୟ ଉଠାଇଲେ ପ୍ରଶ୍ନ, ବିମାନ ବନ୍ଦରରେ ଦେଲେ ଧାରଣା 

ହୃଦଘାତରେ ପ୍ରାଣ ହରାଇଥିଲେ ଆସାମ ରାଇଫଲ୍ସର ଯବାନ ପ୍ରବୀର କୁମାର ନାୟକ ।

1,069

କନକ ବ୍ୟୁରୋ : ସହିଦଙ୍କ ସମ୍ମାନ ନେଇ ପ୍ରଶ୍ନ । ସହିଦଙ୍କ ମରଶରୀରକୁ ନେଇ ଆଜି ସକାଳେ ଭୁବନେଶ୍ୱର ଏୟାରପୋର୍ଟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଗାର୍ଡ଼ ଅଫ୍ ଅନର୍ ଦିଆଯାଇନଥିବାରୁ ସହିଦଙ୍କ ମର ଶରୀରକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ପରିବାର ସଦସ୍ୟ । ଯାଜପୁର କଚେରୀ ଗାଁର ସହିଦ ପ୍ରବୀର କୁମାର ନାୟକ ଆସାମ ରାଇଫଲରେ କାର୍ଯ୍ୟରତ ଥିଲେ । ମାତ୍ର ୩୮ ବର୍ଷ ବୟସରେ ସେ ହୃଦଘାତରେ ପ୍ରାଣ ହରାଇଛନ୍ତି । ତାଙ୍କ ମରଶରୀରକୁ ଉପଯୁକ୍ତ ସମ୍ନାମ ଦିଆଯାଇ ନଥିବାରୁ ପରିବାର ସଦସ୍ୟ କ୍ଷୋଭ ପ୍ରକାଶ କରିବା ସହ ଧାରଣାରେ ବସିଥିଲେ ।

 

ସୂଚନା ଅନୁସାରେ ଆଜି ସକାଳ ୧୦ରେ ଏୟାରପୋର୍ଟରେ ପହଞ୍ଚିଥିଲା ସହିଦ ପ୍ରବୀର କୁମାର ନାୟକଙ୍କ ମରଶରୀର । ହେଲେ ତାଙ୍କୁ ଗାର୍ଡ଼ ଅଫ୍ ଅନରୁ ଦିଆଯାଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ପରିବାର ଲୋକ । ଜାତୀୟ ପତାକା ପାର୍ଥିବ ଶରୀର ଉପରେ ପଡ଼ିଥିବା ସତ୍ୱେ କାହିଁକି ଗାର୍ଡ଼ ଅଫ୍ ଅନର୍ ଦିଆଗଲାନି ବୋଲି ପ୍ରଶ୍ନ କରିଥିଲେ । ଏହା ବ୍ୟତୀତ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନକରି ସାଧାରଣ ଆମ୍ବୁଲାନ୍ସରେ ମରଶରୀର ନେବା ପାଇଁ କୁହାଯାଉଛି । ଆହୁରି ଦୁର୍ଭାଗ୍ୟର ବିଷୟ ଆମ୍ବୁଲାନ୍ସ ଖର୍ଚ୍ଚ ମଧ୍ୟ ସହିଦଙ୍କ ବିଧବା ପତ୍ନୀ ହିଁ ବହନ କରିବେ । ସହିଦଙ୍କ ମରଶରୀର ପ୍ରତି ଏପରି ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବା ସହ ଗାର୍ଡ଼ ଅଫ ଅନର୍ ନଦେବା ପର୍ଯ୍ୟନ୍ତ ଯବାନଙ୍କ ମରଶରୀରକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ ପରିବାର ସଦସ୍ୟ । 

 

ଅନ୍ୟପଟେ ଆସାମ ରାଇଫଲସର ପଦାଧିକାରୀ କହିଛନ୍ତି, ହୃଦଘାତରେ ପ୍ରବୀରଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ତାଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯାଇନାହିଁ । କୌଣସି ରୋଗରେ ମୃତ୍ୟୁ ହେଲେ ଯବାନଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯିବାର ବ୍ୟବସ୍ଥା ନାହିଁ । ତେବେ ଏଇଠି ପ୍ରଶ୍ନ ଉଠୁଛି ୨୦ ବର୍ଷ ଦେଶସେବା କରିବା ପରେ ବି ଗାଁ ପର୍ଯ୍ୟନ୍ତ ମରଶରୀର ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ । ଦେଶ ମାତୃକା ପାଇଁ କାମ କରିବି ମୃତ୍ୟୁ ପରେ ସହିଦଙ୍କୁ ଉପଯୁକ୍ତ ସମ୍ମାନ ମିଳୁନି ।