ସରକାର କେବେ ଶୁଣିବେ ଗୁହାରୀ ? ଷଷ୍ଠ ଦିନରେ ପହଂଚିଲା ବ୍ଲକଗ୍ରାଂଟ ଶିକ୍ଷକ ଆନ୍ଦୋଳନ

36

କନକ ବ୍ୟୁରୋ : ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ । ୬ଦିନ ହେଲା ବ୍ଲକ ଗ୍ରାଂଟ ଉଚ୍ଛେଦ ସହ ଅନ୍ୟାନ୍ୟ ଦାବି ନେଇ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ ଆନ୍ଦୋଳନ ଜାରି ରଖିଛନ୍ତି । ସରକାରୀ ଶିକ୍ଷକଙ୍କ ଦାବି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରି ପୁଣି ବିଶାଳ ସମାବେଶ ଆୟୋଜନ କରିବ ମିଳିତ ମଂଚ । ୨୨ ତାରିଖରେ ବିଶାଳ ସମାବେଶ ଆୟୋଜନ କରିବାକୁ ଯାଉଛି ମିଳିତ ମଂଚ । ଆଜକୁ ୬ ଦିନ ହେଲା ବ୍ଲକ ଗ୍ରାଂଟ ଉଚ୍ଛେଦ ଦାବି ନେଇ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ ଆନ୍ଦୋଳନ ଜାରି ରଖିଛନ୍ତି ।

ଗତକାଲି ଏନେଇ ଲୋୟର ପିଏମଜିରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଂଚଙ୍କୁ ଭେଟି ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଆନ୍ଦୋଳନ ଉପରେ ଶୀଘ୍ର ନିର୍ଣ୍ଣୟ ନେବାକୁ ସେ ନିବେଦନ କରିଥିଲେ । ଓଡିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବର୍ତ୍ତମାନ ସହିତ ଖେଳାନଯାଉ ଏବଂ ଏ ସମସ୍ୟାର ସମାଧାନ ହେଲେ ଓଡିଶାବାସୀଙ୍କ ହିତରେ ଯିବ ବୋଲି ଧର୍ମେନ୍ଦ୍ର କହିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏନେଇ ଅବଗତ ଅଛନ୍ତି ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ରଖିଥିଲେ ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ । ତେବେ ଦେଖିବାକୁ ବାକି ରହିଲା ଶିକ୍ଷକଙ୍କ ଏ ସମସ୍ୟାର ସମାଧାନ ସରକାର କେତେ ଶୀଘ୍ର କରୁଛନ୍ତି । କାରଣ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ହଜାର ହଜାର ପିଲାଙ୍କ ଭବିଷ୍ୟତ ।