ଡବଲ ଇଞ୍ଜିନ୍ ଥିଅରୀ ଫେଲ୍ : ଦେଶରେ ସଙ୍କୁଚିତ ହେଉଛି ବିଜେପି, ବିପଦରେ ବ୍ରାଣ୍ଡ ମୋଦି

1,408

କନକ ବ୍ୟୁରୋ : ଝଡ଼ୁଛି ପଦ୍ମପାଖୁଡ଼ା । ଦେଶରେ ଧୀରେ ଧୀରେ ସଙ୍କୁଚିତ ହେଉଛି ବିଜେପି । ମୋଦିଙ୍କ ଡବଲ ଇଞ୍ଜିନ୍ ଥିଅରି ଫେଲ୍ । ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପରାଜୟ ଆଡକୁ ମୁହାଁଉଛି । ସଂଖ୍ୟା ଗଣିତରେ ବହୁମତ ଆଡକୁ ଅଗ୍ରସର ହେଉଛି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ ତାର ସହ ଯୋଗୀ ମେଂଟ ଦଳ । ବିଜେପି ହାତରୁ ଝାଡ଼ଖଣ୍ଡ ବି ଯିବା ଏକପ୍ରକାର ସ୍ପଷ୍ଟ ହୋଇଛି । ବିଗତ କିଛି ବର୍ଷରେ ନରେନ୍ଦ୍ର ମୋଦିଙ୍କ ଚେହରା ବିଜେପିର ବିଜୟ ହାସଲର ଗ୍ୟାରେଂଟି ବୋଲି କୁହାଯାଉଥିଲା । ହେଲେ ଝାଡ଼ଖଣ୍ଡୁ ବିଧାନସଭା ନିର୍ବାଚନରେ ମୋଦିଙ୍କ ନାମରେ ବିଜେପିର ଡଙ୍ଗା ପାରି ହୋଇପାରିଲା ନାହିଁ । ଆଉ କାମ ଦେଉନି ବ୍ରାଣ୍ଡ ମୋଦି । ମୋଦି ଲେହେର ମଧ୍ୟ ଧୀରେ ଧୀରେ ଥମିବାରେ ଲାଗିଲାଣି ।

ଫିକା ପଡ଼ୁଛି ମୋଦି ମ୍ୟାଜିକ୍ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପିକୁ ଲାଗିଛି ଏକ ବଡ଼ ଝଟକା। ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପିକୁ ପଛରେ ପକାଇ ଏବେ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆଗେଇଛନ୍ତି ଜେଏମ୍ଏମ୍- କଂଗ୍ରେସ- ଆରଜେଡ଼ି ମେଣ୍ଟ । ଅପରାହ୍ଣ ୩ଟା ସୁଦ୍ଧା ହସ୍ତଗତ ହୋଇଥିବା ଗଣତିର ଫଳାଫଳରୁ ଜଣାପଡ଼ିଛି ଯେ ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟ ୪୧ ଆସନରେ ଆଗୁଆ ରହିବା ସହ ବିଜୟ ସମ୍ଭାବନାକୁ ନିଶ୍ଚିତ କରି ନେଇଥିବା ବେଳେ ବିଜେପି ମାତ୍ର ୨୯ଟି ଆସନରେ ଆଗୁଆ ରହିଛି।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ପରେ ପୁଣି ଆଉ ଏକ ବଡ଼ ରାଜ୍ୟ ହାତରୁ ଖସିବାକୁ ବସିଛି । ୨୦୧୭ରେ ବିଜେପି, ପାଖାପାଖି ୬୮ ପ୍ରତିଶତ ଜନସଂଖ୍ୟା ଉପରେ ଶାସନ କରୁଥିଲା । ହେଲେ ବର୍ତ୍ତମାନ ସ୍ଥିତି ଦେଖିଲେ ସ୍ୱଷ୍ଟ ହେଉଛି ବିଜେପି ଲଗାତର ଗୋଟିଏ ପରେ ଗୋଟିଏ ରାଜ୍ୟ ହାରିବାରେ ଲାଗିଛି । ଆକଳନ କରାଯାଉଛି ୨୦୧୯ରେ ବିଜେପି ଝାଡ଼ଖଣ୍ଡ ନିର୍ବାଚନ ହାରିବା ପରେ ୪୩ ପ୍ରତିଶତ ଜନଂସଖ୍ୟା ପ୍ରତିଶତ ଜନସଂଖ୍ୟା ଉପରେ ଶାସନ କରିବ ବିଜେପି

୨୦୧୪ରେ ବିଜେପି ଅକ୍ତିଆର କରିଥିଲା ୭ଟି ରାଜ୍ୟ । ୨୦୧୮ରେ ଏହା ବୃଦ୍ଧି ପାଇ ୧୯ରେ ପହଞ୍ଚିଥିଲା । ଅର୍ଥାତ ବିଜେପି ଓ ବିଜେପି ମେଣ୍ଟ ଦଳ ଏହି ରାଜ୍ୟ ଗୁଡ଼ିକୁ ନିଜ କବଜାକୁ ନେଇ ଶାସନ ସମ୍ଭାଳୁଥିଲେ । ୨୦୧୪ ଲୋକସଭାରେ ନିର୍ବାଚନରେ ବିଜେପି ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲା । ହେଲେ ଦୁର୍ଭାଗ୍ୟବଶତଃ ୨୦୧୯ରେ ବିଜେପି ହାତରେ କେବଳ ରହିଗଲା ହରିୟାଣା । ଆଉ ସବୁ ରାଜ୍ୟ ଗୁଡ଼ିକ ବିଜେପି ହାତରୁ ଖସିଗଲା ।

ଅନ୍ୟପଟେ ୨୦୧୯ରେ ମହାରାଷ୍ଟ୍ରରେ ବିଜେପିକୁ ଲାଗିଲା ଶକ୍ତ ଝଟକା । ବିଧାନସଭା ନିର୍ବାଚନରେ ପରାଜିତ ହେଲା ଗୈରିକ ଦଳ । ସବୁଠାରୁ ବଡ଼ ପାର୍ଟି ରୂପେ ଉଭା ହୋଇଥିଲେ ହେଁ ସରକାର ଗଢ଼ିପାରିଲାନି ବିଜେପି । କାମ ଦେଲାନି ମୋଦି ହାୱା । ହିନ୍ଦୀ ବେଲ୍ଟର ପ୍ରମୁଖ ତିନି ରାଜ୍ୟରେ ପରାଜୟ ପରେ ବିଜେପିର ବିଜୟ ରଥରେ ଯେପରି ଗ୍ରହଣ ଲାଗିଯାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ କଂଗ୍ରେସ ବିଧାନସଭା ନିର୍ବାଚନ ହାରିବା ପରେ ଧୀରେ ଧୀରେ ଦେଶରୁ ପଦ୍ମପାଖୁଡ଼ା ଝଡ଼ିବାରେ ଲାଗିଛି ।