ଆଜି ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଦଳୀୟ ନେତା ଓ କର୍ମୀଙ୍କୁ ମନ୍ତ୍ର ଦେବେ ମୋଦି ! ବୈଠକରେ ଦ୍ୱିତୀୟ ଦିନରେ ପ୍ରସ୍ତୁତ ହୋଇପାରେ ୨୦୧୯ର ଖସଡା

97

କନକ ବ୍ୟୁରୋ : ବିଜେପି ଜାତୀୟ ପରିଷଦ ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଆଜି ମନ୍ତ୍ର ଦେବେ ମୋଦି । ତିନୋଟି ବିଜେପି ଶାସିତ ରାଜ୍ୟ ହାତରୁ ଖସିବା ପରେ କିଭଳି ନିର୍ବାଚନରେ ପୁଣି ଦଳ ଭଲ ପ୍ରଦର୍ଶନ କରିବ ତାଉପରେ ସମସ୍ତେ ଜୋର ଦେବାକୁ ମୋଦି ଆଜି ଦଳୀୟ ନେତାଙ୍କୁ ପରାମର୍ଶ ଦେବେ । ବୈଠକରେ ଦ୍ୱିତୀୟ ଦିନରେ ଆଜି ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତ ପ୍ରସ୍ତୁତ ହୋଇପାରେ ।

ଦିଲ୍ଳୀର ରାମଲୀଳା ମଇଦାନରେ ଚାଲିଥିବା ଏହି ବୈଠକରେ ଗତକାଲି ଉଦବୋଧନ ଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ବିଚାରଧାରାକୁ ନେଇ ଲଢ଼େଇ ହେବ । ଦୁଇଟି ବିଚାରଧାରା ମଧ୍ୟ ଏହି ଲଢ଼େଇରେ ଜନସାଧାରଣ ନିଜ ପ୍ରତିନିଧି ଚୟନ କରିବେ ।

ରାମ ମନ୍ଦିର ପ୍ରସଙ୍ଗରେ ଶାହା କହିଥିଲେ ଯେଉଁଠି ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ । ବିଜେପି ଚାହୁଁଛି ରାମ ମନ୍ଦିର ଶୀଘ୍ର ହେଉ ମାତ୍ର ଏଥିରେ କଂଗ୍ରେସ ବାଧା ଦେଉଛି । ଅନ୍ୟପଟରେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ପ୍ରକ୍ରିୟା ଆଗକୁ ବଢ଼ି ପାରୁ ନାହିଁ । ଉତ୍ତର ପ୍ରଦେଶ ସଂପର୍କରେ ଦୃଢ଼ୋକ୍ତି ପ୍ରକାଶ କରି ଶାହ କହିଛନ୍ତି ଯେ ବିଜେପି ୟୁପିରେ ୭୩ରୁ ୭୪ ଆସନରେ ବିଜୟୀ ହେବ । ୨୦୧୪ରେ ଆମେ ୭୨ ଆସନ ଦଖଲ କରିଥିଲୁ ଏବଂ ୨୦୧୯ରେ ଏହା ୭୪ ହେବ ବୋଲି ସେ କହିଛନ୍ତି ।