ତିନି ରାଜ୍ୟରେ ନିର୍ବାଚନ ହାରିବା ପରେ ବିଜେପି ଟାର୍ଗେଟରେ ଓଡ଼ିଶା !

345

କନକ ବ୍ୟୁରୋ : ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବା ପରେ ବିଜେପି ଏବେ ଓଡ଼ିଶା ଉପରେ ନଜର ପକାଇଛି । ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ମଧ୍ୟ ବିଜେପି ଟାର୍ଗେଟ୍ କରିବ ବୋଲି ଦଳର ଅଧ୍ୟକ୍ଷ ଅମିତ୍ ଶାହ ଆଜି ଦେଇଥିବା ବିବୃତିରୁ ସ୍ପଷ୍ଟ ହୋଇଯାଇଛି । ମୁମ୍ବାଇରେ ଅନୁଷ୍ଠିତ ‘ରିପବ୍ଲିକ୍ ସମିଟ୍’ରେ ଉଦ୍ବୋଧନ ଦେଇ ଶାହ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ମହାମେଣ୍ଟକୁ ଏକ ‘ଭ୍ରମ’ ବ୍ୟତୀତ କିଛି କୁହାଯାଇ ପାରିବ ନାହିଁ । ୨୦୧୪ରେ ବିରୋଧୀମାନେ ମଧ୍ୟ ଅନୁରୂପ ଭାବେ ସକ୍ରିୟ ହୋଇପଡ଼ିଥିଲେ । କିନ୍ତୁ ବିଜେପି ସବୁ ଦଳକୁ ମାତ୍ ଦେଇ ନିର୍ବାଚନ ଜିତିଥିଲା । ଏଥର ମଧ୍ୟ ଦଳ ସେହି ଧାରା ଦୋହରାଇବ । ଦଳକୁ ଏ ବାବଦରେ ଶିବସେନା ସମର୍ଥନ ଯୋଗାଇବ ବୋଲି ପୂର୍ଣ୍ଣ ବିଶ୍ବାସ ରହିଛି । ସେମାନଙ୍କ (ଶିବସେନା) ସହିତ ଆଲୋଚନା ଜାରି ରହିଛି । ସେମାନେ ବିଜେପିକୁ ନିରାଶ କରିବେ ନାହିଁ।

ଶିବସେନା ସହିତ ସାମିଲ ହୋଇ ବିରୋଧୀଙ୍କ ମହାମେଣ୍ଟକୁ ପୁଣି ପରାଜିତ କରିବୁ । ମହାମେଣ୍ଟର ବାସ୍ତବତା ନେଇ କୌଣସି ସଂକେତ ଦେଖିବାକୁ ମିଳୁନାହିଁ । ଦେଶର କୌଣସି ସ୍ଥାନରେ ମଧ୍ୟ ଏହାର ଉପସ୍ଥିତି ନେଇ କାଣିଚାଏ ଅନୁଭୂତ ହେଉନାହିଁ । ୨୦୧୯ରେ ବିଜେପି ପଶ୍ଚିମବଙ୍ଗ, ଉତ୍ତର ପୂର୍ବ ଏବଂ ଓଡ଼ିଶାରେ ଅଧିକରୁ ଅଧିକ ଆସନ ହାସଲ କରିବ ବୋଲି ବିଶ୍ବାସ ରହିଛି । ଏଥିପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି ।

ବିଗତ ସାଢ଼େ ୪ ବର୍ଷରେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ସରକାର କରିଥିବା କାର‌୍ୟ୍ୟ ବାବଦରେ ସୂଚନା ଦେଇ ଶାହ କହିଛନ୍ତି, ଏହି ସମୟ ମଧ୍ୟରେ ଆମେ ଜାତୀୟ ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବା ସହ ଦୁର୍ନୀତିକୁ ସମୂଳେ ଧ୍ବଂସ କରିଦେଇଛୁ । ୮ କୋଟି ଘରକୁ ଆମେ ପାଇଖାନା ଓ ୨.୫ କୋଟି ଘରକୁ ବିଜୁଳି ଯୋଗାଇଛୁ । ତେବେ ଦେଶ ପାଇଁ ଏକ ସ୍ଥିର ସରକାର ଆଶା କରିବା ଏକାକୀ ବିଜେପିର ଲକ୍ଷ୍ୟ ନୁହେଁ, ଦେଶବାସୀ ମଧ୍ୟ ଏହା ଚାହାନ୍ତି ବୋଲି ସେ କହିଛନ୍ତି ।