ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିିଁକି ଭେଟିବେ ମୁଖ୍ୟମନ୍ତ୍ରୀ ? ପ୍ରଶ୍ନ ଉଠାଇଲେ କୃଷିମନ୍ତ୍ରୀ ଦାମୋଦର ରାଉତ

37

କନକ ବ୍ୟୁରୋ : ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାକୁ ନାପସନ୍ଦ କରିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଭେଟିବା ଠିକ୍ ହୋଇନି । ଭେଟିବା ପାଇଁ ଆଇଓସିଏଲକୁ ସମନ କରାଯାଇପାରିଥାନ୍ତା ଓ ଧର୍ମେନ୍ଦ୍ରଙ୍କୁ ଡକାଇ ମୁଖ୍ୟମନ୍ତ୍ରୀ କଥା ହୋଇପାରିଥାନ୍ତେ ବୋଲି ଦାମ ରାଉତ କହିଛନ୍ତି ।

ଆଇଓସିଏଲ ନେଇ ଧର୍ମେନ୍ଦ୍ର ନବୀନ ଭେଟ ପ୍ରସଙ୍ଗରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଚାହିଁଲେ ବିବାଦର ସମାଧାନ ନିଶ୍ଚିତ ହେବ ବୋଲି ପ୍ରତାପ ଦେବ କହିଛନ୍ତି । ରାଜ୍ୟ ସ୍ୱାର୍ଥ ରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କ କାମ ହୋଇଥିବାବେଳେ ଦେଶର ସ୍ୱାର୍ଥ ରକ୍ଷା କରିବା କେନ୍ଦ୍ରମନ୍ତ୍ରୀଙ୍କ କାମ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜନୀତି କରନ୍ତୁନି ଏବଂ ରାଜ୍ୟର ଯଦି ନାର୍ଯ୍ୟ ଦାବି ଥାଏ ତେବେ ତାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନି ନିଅନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି ।

ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ସୂର୍ଯ୍ୟ ପାତ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି ।

ସେପଟେ ନବୀନ-ଧର୍ମେନ୍ଦ ଭେଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀ ପତି । ବିଜେଡି-ବିଜେପି ଭିତିରି ସଂପର୍କ ଅଛପା ନାହିଁ । ଭୁବନେଶ୍ୱରରେ କଳି ହେଲେ ଦିଲ୍ଲୀରେ କୋଳାକୋଳି ବୋଲି କହିଛନ୍ତି ତାରାବାହିନୀ ପତି ।

ସୂଚନାଯୋଗ୍ୟ ଗତକାଲି ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କର ୫ଦିନିଆ ଗସ୍ତ ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର ମଧ୍ୟ କାଯ୍ୟକ୍ରମ ରହିଛି । ଆସନ୍ତା ୨୦ ତାରିଖରେ ଓଡିଶା ଫେରିବେ ନବୀନ । ୧୮ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ନବୀନ । ଦିଲ୍ଲୀ ସ୍ଥିତ ଓଡିଶା ଭବନରେ ଧର୍ମେନ୍ଦ୍ରଙ୍କୁ ଭେଟିବା ସହ ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସଂପର୍କରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ସେହିଦିନ ସଂଧ୍ୟାରେ ଦିଲ୍ଲୀ ତାଜ ପ୍ୟାଲେସ ହୋଟେଲରେ ଆଉଟଲୁକ ସ୍ପିକ ଆଉଟ ଆୱାର୍ଡ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୧୯ଅଗଷ୍ଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୨୦ରେ ଓଡିଶା ଫେରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।