ବିଜେଡିରେ ବଢୁଛି ଆଶାୟୀଙ୍କ ଭିଡ ! ବାୟୋଡାଟା ଧରି ନବୀନ ନିବାସରେ ପଂହଚିଲେ ନେତା,୧୬୮ଟି ଆସନ ପାଇଁ ୩୦ ହଜାରରୁ ଅଧିକ ଆବେଦନ

170

କନକ ବ୍ୟୁରୋ : ନିର୍ବାଚନ ପାଇଁ ବିଜେଡିରେ ବଢୁଛି ଆଶାୟୀଙ୍କ ଭିଡ । ଆଜି ମଧ୍ୟ ନବୀନ ନିବାସ ଆଗରେ ଦେଖିବାକୁ ମିଳିଛି ଆଶାୟୀଙ୍କ ପ୍ରବଳ ଭିଡ । ହାତରେ ବାୟୋଡାଟା ଧରି ନବୀନ ନିବାସରେ ନେତାଙ୍କ ଲମ୍ୱା ଲାଇନ୍ ଲାଗିଛି । ବିଧାନସଭା ଓ ଲୋକସଭାକୁ ମିଶାଇ ମୋଟ୍ ୧୬୮ ଟି ଆସନ ପାଇଁ ଗତ ୪ ଦିନ ମଧ୍ୟରେ ପଡିସାରିଲାଣି ୩୦ ହଜାରରୁ ଅଧିକ ଆବେଦନ । ଏହା ମଧ୍ୟରୁ କାହାକୁ ଟିକେଟ୍ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କାହାର ଟିକେଟ୍ ରହିବ, କାହାର ଟିକଟ୍ କଟିବ , ସେସବୁକୁ ନେଇ ଏବେ ବି ଚିତ୍ର ସ୍ପଷ୍ଟ ହୋଇନାହିଁ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ଧରି ନବୀନ ନିବାସରେ ଯେଉଁ ଯୁବକ, ମହିଳା, ବରିଷ୍ଠ, ବୟସ୍କ ନେତା, କର୍ମୀ ଆଦି ପ୍ରାର୍ଥୀ ହେବା ପାଇଁ ଭିଡ ଜମାଉଛନ୍ତି, ସେମାନଙ୍କ ବାୟୋଡାଟା (ବ୍ୟକ୍ତିଗତ ତଥ୍ୟ) ଆଜି ରାତି ସୁଦ୍ଧା ଏହି ସଂଖ୍ୟା ଅତିକ୍ରମ କରିଯାଇଛି । କେବଳ ସେତିକି ନୁହେଁ, ଦଳର ପ୍ରମୁଖ ନେତା, ସାଂସଦଙ୍କ ନିକଟରେ ମଧ୍ୟ ଶହ ଶହ ବାୟୋଡାଟା ପଡିରହିଛି । ଏସବୁକୁ ନବୀନ ନିବାସରେ ଦାଖଲ କରିବା ଲାଗି ଆଜି ଦଳ ସଂପୃକ୍ତ ନେତାମାନଙ୍କୁ ପରାମର୍ଶ ଦେଇଛି ।

ଏତେ ସଂଖ୍ୟକ ବାୟୋଡାଟା ପରୋକ୍ଷରେ ସୂଚାଇ ଦେଉଛି ଯେ ଗଣତାନ୍ତ୍ରିକ ମତଦାନ ପ୍ରକ୍ରିୟାରେ ଭାଗ ନେବା ଲାଗି କେବଳ ଭୋଟର ଆଗ୍ରହ ପ୍ରକାଶ କରୁଛନ୍ତି ତା ନୁହେଁ, ପ୍ରତିନିଧି ହେବା ଲାଗି ବିଭିନ୍ନ ବର୍ଗର ନେତାଙ୍କ ତାଙ୍କ ମଧ୍ୟରେ ଉତ୍ସାହ ବି ବଢିଛି । ସାମ୍ବାଦିକ, ଯନ୍ତ୍ରୀ, ସରକାରୀ ବାବୁ, ଦଳର କର୍ମୀଙ୍କଠାରୁ ଆରମ୍ଭକରି ପ୍ରାଧ୍ୟାପକଙ୍କ ପର୍ଯ୍ୟନ୍ତ ଏହି ତାଲିକାରେ ଅଛନ୍ତି । ଏମାନେ ନିଜ ନିଜ ଅଞ୍ଚଳରେ ପ୍ରାର୍ଥୀ ହେବା ପାଇଁ ରଙ୍ଗିନ୍ ମଲାଟରେ ଆକର୍ଷଣୀୟ ବାୟୋଡାଟା ପ୍ରଦାନ କରିଛନ୍ତି ।

ତେବେ ଏତେ ସଂଖ୍ୟକ ବାୟୋଡାଟା ମଧ୍ୟରୁ ନିର୍ଦିଷ୍ଟ କେଉଁ ୧୬୮ ଜଣଙ୍କୁ ଟିକେଟ୍ ମିଳିବ, ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ  ହେଲାଣି । ଏହାକୁ ନେଇ ବିଜେଡିର କର୍ମୀଙ୍କ ଠାରୁ ଆରମ୍ଭ କରି ଶୀର୍ଷନେତାଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ଉତ୍କଣ୍ଠା ପ୍ରକାଶ ପାଉଛି । ତେବେ ସୁପ୍ରିମୋଙ୍କ ନିଷ୍ପତ୍ତି କାହା ସପକ୍ଷରେ ଯାଉଛି, ସେ ନେଇ କେହି ଠଉରାଇ ପାରୁନାହାନ୍ତି । ଦଳର ଜଣେ ବରିଷ୍ଠ ନେତା ଆଜି ହାଲକା ମନ୍ତବ୍ୟ ଦେଇ କହିଛନ୍ତି କେବଳ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ଲଢିବା ନିଷ୍ପତ୍ତି ହୋଇଛି । ବାକି କେଉଁ ୧୬୭ ଜଣ ଟିକେଟ୍ ପାଇବେ ତାହା କେବଳ ନବୀନଙ୍କୁ ଜଣା ।