ବିଜେପିର ଅଭିଯୋଗ, ଦୁର୍ନୀତିଗ୍ରସ୍ତଙ୍କୁ ଦଳରୁ ବାହାର କରି ପରେ କୋଳେଇ ନେବା ନବୀନଙ୍କ ଅଭ୍ୟାସ : ଜବାବରରେ ପ୍ରତାପ ଦେବ କହିଲେ, ଉତଫୁଲିତ ନହୋଇ ନିଜ ଦଳ କଥା ବୁଝୁ ବିଜେପି

27

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ପୁଣି ଟାର୍ଗେଟ କରିଛି ବିଜେପି । ଦଳ ଆଜି ଅଭିଯୋଗ କରିଛି ଯେ, ଯୋଜନାବଦ୍ଧ ରଣନୀତିର ଅଙ୍ଗଭାବରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ସମୟ ପାଇଁ ବାହାର କରି ପୁଣି କିଛି ସମୟ ପାଇଁ କୋଳେଇ ନେଇ ଲୋକଙ୍କୁ ବୋକା ବନାଇବାରେ ସେ ନାୟକ ସାଜିଛନ୍ତି । ବିଜେପିର ମୁଖପାତ୍ର ସମୀର ମହାନ୍ତି କହିଛନ୍ତି, ଓଡିଆ ଲୋକଙ୍କୁ ବୋକା ବନାଇବା ବହୁତ ହୋଇଗଲା । ଚତୁରେ ଚତୁରେ କୋଳାକୋଳି ବହୁତ ହୋଇଗଲା । ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବିଜେପି କହିଛି । ଆଉ ଏଥିପାଇଁ ବିଜେଡିର ଅନେକ ନେତାଙ୍କ ନାଁ ବି ନେଇଛି ବିଜେପି ।

ସେପଟେ ବିଜେପିର ଅଭିଯୋଗର କଡା ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିଜେପି ମୋ ରାଣ ମୋତେ ଭଲ ପା ଭଳି ଅଭିଯୋଗ କରୁଛି । ଦାମ ରାଉତ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହୋଇଛି । ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ହେବ । ତେଣୁ ନବୀନ ନିଜ ଦଳର କାହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଲେ ବିଜେପି ଉତଫୁଲ୍ଲିତ ହେବାର କାରଣ ନାହିଁ ।