ତୈଳଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ : ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଦଳ

55

କନକ ବ୍ୟୁରୋ : ତୈଳଦର ବୃଦ୍ଧି ନେଇ ବିଜେଡି କରିଛି ପ୍ରତିବାଦ । ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଆଜି ବିଜେଡି ପକ୍ଷରୁ ଚାଲିଛି ଜନସଚେତନତା କାର୍ଯ୍ୟକ୍ରମ । ଦିନ ୧୦ଟାରୁ ୧୨ଟା ଯାଏ ଦଳ ପକ୍ଷରୁ ସବୁ ପେଟ୍ରୋଲ ପମ୍ପ ଆଗରେ ପ୍ରଦର୍ଶନ ଚାଲିଛି । ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳର କର୍ମୀମାନେ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଛନ୍ତି । ଲିଫଲେଟ୍ ବାଂଟି ଦଳୀୟ କର୍ମୀମାନେ ଲୋକଙ୍କୁ ସଚେତନ କରୁଛନ୍ତି । ଆଜିଠାରୁ ୯ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ ।

ତେବେ ତୈଳ ଦଳ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମେୟର ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି ତୁରନ୍ତ କେନ୍ଦ୍ର ସରକାର ପଦରୁ ହଟିଯିବା ଉଚିତ୍ । କାରଣ ଲୋକଙ୍କୁ ସାଧାରଣ ଅଧିକାର ମଧ୍ୟ ମିଳୁନାହିଁ । ପେଟ୍ରୋଲ ଦର ଏବେ ୮୦ ଟପିଲାଣି । ଆଉ କିଛି ଦିନରେ ୧୦୦ ଟଙ୍କା ମଧ୍ୟ ଟପିଯିବ ।  କେନ୍ଦ୍ର ସରକାର ଦାୟିିତ୍ୱ ପ୍ରତି ସଚେତନ ହେବା ଦରକାର ।

ସେପଟେ ତୈଳଦର ବୃଦ୍ଧି ନେଇ ବିଜେଡିର ପ୍ରତିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଏହା ବିଜେଡିର ମାନସିକ ଦେବାଳିଆର ଲକ୍ଷଣ । ଭଗବାନ ଏମାନଙ୍କୁ ଛୋଟ ବୃଦ୍ଧିରୁ ନିବୃତ ରଖନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସୂଚନାଯୋଗ୍ୟ ପୁଣି ବଢିଛି ତେଲ ଦର । ନବରଙ୍ଗପୁର ଓ ଜୟପୁରରେ ୮୨ ଟଙ୍କା ଟପିଲା ପେଟ୍ରୋଲ ଦର । ଲଗାତର କିଛି ଦିନ ହେଲା ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଗତକାଲି ତୁଳନାରେ ଆଜି ପୁଣି ତୈଳ ଦର ବୃଦ୍ଧି ହୋଇଛି । ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୯ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ଦର ରହିଛି ୮୦ ଟଙ୍କା ୫୭ ପଇସା । ସେହିପରି ଜୟପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୨ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୦ ଟଙ୍କା ୫୦ ପଇସା ହୋଇଛି । ସେପଟେ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୭୯ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୭୮ ଟଙ୍କା ୨୬ ପଇସା ହୋଇଛି । ଏପଟେ କଟକରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୭ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୭୭ ଟଙ୍କା ୫୪ ପଇସା ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ୮୫ ପଇସା ରହିଥିବା ବେଳେ ଡିଜେଲ ଦର ରହିଛି ୭୭ ଟଙ୍କା ୩୩ ପଇସା ।