ପାସପୋର୍ଟ ପାଇଁ ବାଧ୍ୟତାମୂଳକ ନୁହେଁ ଜନ୍ମ ପ୍ରମାଣପତ୍ର !

62

ପାସପୋର୍ଟ ଆବେଦନ ପାଇଁ ପୂର୍ବରୁ ଜନ୍ମ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଥିଲା । କିନ୍ତୁ ଏବେ ଏହି ପରଂପରା ଆଉ ବେଶୀ ଦିନ ରହିବ ନାହିଁ ବୋଲି ଜଣାପଡ଼ିଛି । ପାସପୋର୍ଟ ଆବେଦନ ପାଇଁ ଆବଶ୍ୟକ ପଡୁଥିବା ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ କିମ୍ବା ପ୍ୟାନ କାର୍ଡ ଥିଲେ ଆପଣଙ୍କ କାମ ହୋଇପାରିବ । ଆବେଦନକର୍ତ୍ତା ଆଧାର କାର୍ଡ କିମ୍ବା ପ୍ୟାନକୁ ସେମାନଙ୍କର ଜନ୍ମ ପ୍ରମାଣପତ୍ର ଭାବରେ ଦାଖଲ କରିପାରିବେ । ଲକ୍ଷ ଲକ୍ଷ ଭାରତୀୟଙ୍କୁ ଅତି ସହଜରେ ପାସପୋର୍ଟ ଦେବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ସରକାର ୬୦ରୁ ଅଧିକ ଓ ୮ବର୍ଷରୁ କମ ବୟସର ଲୋକଙ୍କୁ ପାସପୋର୍ଟ ପ୍ରସ୍ତୁତିରେ ୧୦ ପ୍ରତିଶତ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ଗତ ସପ୍ତାହରେ କହିଥିଲେ, ଭାରତୀୟ ନାଗରିକଙ୍କୁ ସହଜରେ ପାସପୋର୍ଟ ପାଇବାକୁ ହେଲେ ଆଧାର କାର୍ଡ କିମ୍ବା ପ୍ୟାନ କାର୍ଡକୁ ସେମାନେ ମୁଖ୍ୟ ପ୍ରମାଣ ପତ୍ର ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ ଆଉ କୌଣସି ଜନ୍ମ ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ ନାହିଁ ।

ପାସପୋର୍ଟ ନିୟମ ୧୯୮୦ ଅନୁସାରେ ଯେଉଁ ଆବେଦନକର୍ତ୍ତା ୨୬/୦୧/୧୯୮୯ କିମ୍ବା ଏହା ପରେ ଜନ୍ମ ଗ୍ରହଣ କରିଛନ୍ତି, ସେମାନଙ୍କୁ ଜନ୍ମ ପ୍ରମାଣପତ୍ର ଜମା କରିବାକୁ ପଡୁଥିଲା । କିନ୍ତୁ ଏବେ ପାସପୋର୍ଟ ଆବେଦନ ପାଇଁ ଆବେଦନକର୍ତ୍ତାଙ୍କୁ ଜନ୍ମ ସାର୍ଟିଫିକେଟ ବଦଳରେ ଟ୍ରାନ୍ସଫର/ସ୍କୁଲ ଲିଭିଂ/ମ୍ୟାଟ୍ରିକ ସାର୍ଟିଫିକେଟ(ଜନ୍ମ ତାରିଖ ଉଲ୍ଲେଖ ଥିବା)/ପ୍ୟାନ କାର୍ଡ/ଆଧାରକାର୍ଡ/ଇ-ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର ଅଥବା ଏଲଆଇସି ବଣ୍ଡ ଆଦି ମଧ୍ୟରୁ ଗୋଟିଏ ଦେବାକୁ ହେବ ।

ସେହିଭଳି ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସର୍ଭିସ ରେକର୍ଡ, ପେନସନ ରେକର୍ଡକୁ ପ୍ରମାଣପତ୍ର ଭାବରେ ବ୍ୟବହାର କରିପାରିବେ । ସଂଦଦର ପ୍ରଶ୍ନକାଳ ସମୟରେ ମନ୍ତ୍ରୀ ଭିକେ ସିଂହ କହିଥିଲେ ଲୋକଙ୍କୁ ସହଜରେ ପାସପୋର୍ଟ ଉପଲବ୍ଧ କରିବା ଏଭଳି ପଦକ୍ଷେପ ନିଆଯାଇଛି । ଏହାସହ ଏଣିକି ପାସପୋର୍ଟ ଆବେଦନ ସମୟରେ ଛାଡ଼ପତ୍ର କିମ୍ବା ପୋଷ୍ୟଗ୍ରହଣ ପ୍ରମାଣ ପତ୍ର ଦାଖଲ କରିବା ଦରକାର ନାହିଁ । ପାସପୋର୍ଟ ପାଇଁ ଅନାଥ ପିଲାମାନେ କେବଳ ଅନାଥାଳୟର ଏକ ପ୍ରମାଣ ପତ୍ର ଦାକଖଳ କରିବେ, ଯେଉଁଠି ଜନ୍ମ ତାରିଖ ଉଲ୍ଲେଖ କରାଯାଇଥିବ ।