କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆଉ ମାତ୍ର ଏକ ମାସ ସମୟ । ଘୋଷଣା ହେଲା ବରଗଡ଼ ବିଜେପୁର ବିଧାନସଭା ଉପନିର୍ବାଚନ ତାରିଖ । ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ । ନାମାଙ୍କନ ଦାଖଲର ଶେଷ ଦିନ ୩୦ ସେପ୍ଟେମ୍ବର । ନାମାଙ୍କନ ଯାଂଚ ଅକ୍ଟୋବର ୧ ତାରିଖ ଓ ପ୍ରନାମାଙ୍କନ ତ୍ୟାହାର ତାରିଖ ଅକ୍ଟୋବର ୩ । ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି ହେବ ବୋଲି ଘୋଷଣା କରାଯାଇଛି । ବିଜେପୁର ଲାଗି ନିର୍ବାଚନ କମିଶନ ଆଜି ବିଧିବଦ୍ଧ ଭାବେ ବିଗୁଲ ବଜାଇଛନ୍ତି । ଆଜି ଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏହି ଘୋଷଣା କରିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ନବୀନ ବିଜେପୁର ଛାଡ଼ିବା ପରେ ପୁଣି ହେବାକୁ ଯାଉଛି ଉପନିର୍ବାଚନ । ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ରାଜ୍ୟର ତିନି ପ୍ରମୁଖ ଦଳ । ଏଥର ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ବିଜେପୁର । ୨୦୧୯ ସାଧାରଣ ନିର୍ବାଚନ ପରେ ସବୁ ରାଜନୈତିକ ଦଳ ଲାଗି ବିଜେପୁର ଏସିଡ଼ ଟେଷ୍ଟ । ତେଣୁ ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରାର୍ଥୀ ଚୟନରେ ତିନୋଟି ଯାକ ଦଳ ଲାଗିପଡିଛନ୍ତି । ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା ।
ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଘୋଷଣା ଅନୁଯାୟୀ, ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ ତାରିଖରେ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ ଗଣତି ହେବ।