ଆଜି ଆସିବ ମୟୁରଭଞ୍ଜ ବିଜାତଳା ଜିଲ୍ଲାପରିଷଦ ଉପନିର୍ବାଚନର ଫଳାଫଳ ! ବିଜେଡି-ବିଜେପି ଓ ଜେଏମଏମ୍ ମଧ୍ୟରେ କଡା ଟକ୍କର

ଦିନ ୧୦ ସୁଦ୍ଧା ସ୍ପଷ୍ଟ ହୋଇପାରେ ସ୍ଥିତି

255

କନକ ବ୍ୟୁରୋ : ବିଜାତଳାରେ ବାଜି ମାରିବ କିଏ? ଆଜି ଆସିବ ଉପନିର୍ବାଚନର ଫଳାଫଳ । ଗତକାଲି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲାପରିଷଦ ଉପ-ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ମତଦାନ ହାର ୭୭ ଦଶମିକ ୯୬ ପ୍ରତିଶତ ରହିଛି । ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡି, ବିଜେପି ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ।

ତାରକା ପ୍ରଚାରକମାନେ ସେମାନଙ୍କ କାମ ସାରିଥିବା ବେଳେ ଏବେ ଫଳାଫଳ କଣ ହେବ, ସେନେଇ ଚର୍ଚା ଜୋର ଧରିଛି । ପ୍ରତ୍ୟେକ ବୁଥରେ ବିଜେପି, ବିଜେଡି ଓ ଜେଏମ୍ଏମ୍ ମଧ୍ୟରେ କଡ଼ା ଟକ୍କର ହେଉଛି । କ˚ଗ୍ରେସ ମଧ୍ୟ ଭଲ ଫଳାଫଳ କରିବା ନେଇ ଆଶାବାଦୀ ରହିଛି। ତେବେ, ଆଜି ଫଳାଫଳ ଘୋଷଣା ପରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିବ।

ବିଜେପିର ଜିଲ୍ଲା ପରିଷଦ ସଦସ୍ୟଙ୍କ ଦେହାନ୍ତ ହୋଇଯିବାରୁ ବିଜାତଳାରେ ଉପନିର୍ବାଚନ ହୋଇଛି । ଗତକାଲି ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୮୨ଟି ବୁଥରେ ଭୋଟ୍ ଗ୍ରହଣ ହୋଇଥିଲା । ୫ଟି ପଂଚାୟତର ୨୩ହଜାର ଭୋଟର ଭୋଟ ଦେଇ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଗତ ୨୦୧୭ ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ ।