ଅସୁରକ୍ଷିତ ରାଜଧାନୀ : ରାତି ୧୧ ପରେ ଥାନା ଖାଲି, ଲୁଟ୍, ଡକାୟତି, ଚୋରିରେ ତ୍ରାହି ତ୍ରାହି ଡାକିଲେଣି ରାଜଧାନୀବାସୀ

190

କନକ ବ୍ୟୁରୋ : ଲୁଟେରାଙ୍କୁ ଲୁଟ୍‌, ଡକାୟତଙ୍କ ଡକାୟତି, ସିନ୍ଧିଚୋରଙ୍କ ଚୋରିରେ ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି ରାଜଧାନୀବାସୀ । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଲୁଟପାଟ, ଛିନତାଇ, ଚୋରି ଓ ଡକାୟତି ଭଳି ଅପରାଧ ଘଟୁଛି । ରାତି ତ ରାତି, ଦିନବେଳା ମଧ୍ୟ ରାଜଧାନୀବାସୀ ଘରେ ରହିବାକୁ ଅସୁରକ୍ଷିତ ମନେ କଲେଣି । ବରିଷ୍ଠ ନାଗରିକଙ୍କୁ ମଧ୍ୟ ଛାଡ଼ୁନାହାନ୍ତି । ଗତକାଲି ଦିନବେଳା ଚନ୍ଦ୍ରଶେଖରପୁର ଥାନା ଅଧୀନ ହାଉସିଂବୋର୍ଡ କଲୋନି ଏମଆଇଜି ଫେଜ୍‌-୨‌ରେ ଚେତନଜିତ ମହାନ୍ତିଙ୍କ ଘରୁ ୪ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୧ଲକ୍ଷ ଟଙ୍କା ଚୋରି କରି ନେଇଥିଲେ । ରାତିରେ ଧଉଳି ଥାନା ଅଧୀନ ଶିଶୁପାଳଗଡ଼‌ରେ ଡକାୟତି ହୋଇଥିଲା ।

ଲୁଟେରାମାନେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରି ବାନ୍ଧି ପକାଇବା ସହ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନଗହଣା ନେଇଯାଇଛନ୍ତି । ଖାଲି ଏତିକି ନୁହେଁ, ରାଜଧାନୀରେ କାର୍‌ ମଧ୍ୟ ଲୁଟ୍‌ ହେଲାଣି । ଚେନ୍‌ ଲୁଟ୍‌ ଦେହସୁଆ ହୋଇଗଲାଣି ପୁଲିସ ପାଇଁ । କାହିଁକି ହଠାତ ରାଜଧାନୀରେ ଏଭଳି ଲୁଟପାଟ୍‌ ବଢ଼ି ଯାଇଛି, ତାକୁ ନେଇ ମଧ୍ୟ ସହରବାସୀ ଚିନ୍ତାରେ । କିନ୍ତୁ କମିସନରେଟ୍‌ ପୁଲିସ ଯେଉଁଭଳି ଢଙ୍ଗରେ ଚିନ୍ତା ପ୍ରକଟ କରିବା କଥା, ତାହା କରୁ ନଥିବା ଭଳି ମନେ ହେଉଛି । କାରଣ ପୁଲିସ ଜେଲ ଫେରନ୍ତାଙ୍କ ଉପରେ ନଜର ରଖୁନାହିଁ । ପୂର୍ବରୁ ଯେଉଁଭଳି ରାତି ତମାମ ବ୍ଲକିଂ ଓ ଚେକିଂ ହେବା କଥା, ତାହା ମଧ୍ୟ ଆଉ ହେଉନାହିଁ ।

ରାତି ୧୧ଟା ପରେ ଥାନା ଖାଲି ହୋଇଯାଉଛି । ଦୁର୍ବଳ ଓ ଢିଲା ସୁରକ୍ଷା ବ୍ୟବସ୍ଥା ଅପରାଧୀଙ୍କୁ ସୁହାଉଛି । ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି । ସୁରକ୍ଷା ବ୍ୟବସ୍ଥାରେ କମିସନରେଟ୍‌ ପୁଲିସ ସମେତ ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ । ଏହାର ଫାଇଦା ନେଇପାରନ୍ତି ଲୁଟେରା ।  ତେଣୁ ପୁଲିସ ଏଭଳି ପରିସ୍ଥିତିରେ କେମିତି ମୁ୍କବିଲା କରିବ, ତାକୁ ନେଇ ପ୍ରଶ୍ନ ଉଠିଲାଣି ।

ଜେଲ ଫେରନ୍ତାଙ୍କ ଉପରେ ରହୁନି କମିସନରେଟ ପୁଲିସର ନଜର । ଗତ ଦେଢ଼ ମାସ ହେବ ରାଜଧାନୀରେ ଯେଉଁଭଳି ଭାବେ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି, ତାକୁ ନେଇ ଏବେ ରାଜଧାନୀବାସୀ ଚିନ୍ତିତ । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜଧାନୀରେ ଏବେ ୪ରୁ ୫ଟି ଗ୍ୟାଙ୍ଗ ଅପରେଟ୍‌ କରୁଛି । ଏହି ଗ୍ୟାଙ୍ଗ୍ ନୂଆ ଗ୍ୟାଙ୍ଗ୍ ହୋଇପାରନ୍ତି କିମ୍ବା ବାହାରୁ ଆସି ଥାଇପାରନ୍ତି ବା ଜେଲ ଫେରନ୍ତା ହୋଇ ପାରନ୍ତି । କିନ୍ତୁ ପୁଲିସ ଜେଲ ଫେରନ୍ତାଙ୍କ ଉପରେ ନଜର ରଖୁନାହିଁ । ଫଳରେ ସେମାନେ ଜାମିନରେ ଆସି ପୁଣି ଥରେ ଏଭଳି କାଣ୍ଡ ଘଟାଉଛନ୍ତି ।

ରାତି ୧୧ ପରେ ଥାନାରେ ବସୁନାହାନ୍ତି ଥାନାବାବୁ । ପୂର୍ବରୁ ଥାନାରେ ଥାନାବାବୁମାନେ ରାତି ପାଖାପାଖି ୧୨ଟାରୁ ୧ଟା ଯାଏ ରହୁଥିଲେ । ଫଳରେ ଥାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ଥାନାରେ ଉପସ୍ଥିତ ରହିବା ସହ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । କିନ୍ତୁ ଏବେ ଗୋଟିଏ ଦୁଇଟି ଥାନାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଥାନାର ଥାନାଧିକାରୀମାନେ ରାତି ସାଢ଼େ ୧୦ ଓ ୧୧ଟା ଭିତରେ ଥାନା ଛାଡ଼ି ଦେଉଛନ୍ତି । ଥାନାବାବୁ ଯିବା ପରେ ପରେ ଅନ୍ୟମାନେ ମଧ୍ୟ ଥାନାରୁ ଛୁ’ ମାରୁଛନ୍ତି । କେବଳ ଡିସିଓ, ସେଣ୍ଟ୍ରି ଓ ପିସିଆର୍‌ କର୍ମଚାରୀକୁ ନେଇ ରାତିରେ ଥାନା ଚାଲୁଛି । ବଡ଼ କଥା ହେଉଛି, ଗତ କିଛି ମାସ ହେବ ରାଜଧାନୀରେ ଏଭଳି ଅବସ୍ଥା ଲାଗି ରହିଥିଲେ ମଧ୍ୟ ପୁଲିସ କମିସନର କିମ୍ବା ଡିସିପି କେବେ ବି ହଠାତ ଯାଞ୍ଚ କରିବାକୁ ଥାନାକୁ ଯାଇନାହାନ୍ତି ।

ରାତିରେ ହେଉନାହିଁ ବ୍ଲକିଂ ଚେକିଂପୂର୍ବରୁ ରାଜଧାନୀରେ ରାତି ରାତି ବ୍ଲକିଂ ଓ ଚେକିଂ ହେଉଥିଲା। ଏହି ବ୍ଲକିଂ ଓ ଚେକିଂରେ ଅନେକ ସନ୍ଦିଗ୍ଧ ଓ ଅପରାଧୀମାନେ ଧରା ପଡ଼ିଥାନ୍ତି। କିନ୍ତୁ ପାଖାପାଖି ‌ବର୍ଷେ ହେବ ରାଜଧାନୀରେ ସେଭଳି ବ୍ଲକିଂ ଓ ଚେକିଂ ହେଉନାହିଁ । ଯେଉଁ ସବୁ ଅଞ୍ଚଳରେ ଲୁଟେରାମାନେ ସେମାନଙ୍କ ଅପରେସନ୍‌ ଚଳାଇଛନ୍ତି, ସେହି ସବୁ ଅଞ୍ଚଳରେ ପୁଲିସ କେବି ବି ବ୍ଲକିଂ ଓ ଚେକିଂ କରୁନାହିଁ । ଧଉଳି, ଏୟାରଫିଲଡ୍‌, ମଞ୍ଚେଶ୍ବର, ଖଣ୍ଡଗିରି, ତମାଣ୍ଡୋ ଭଳି ଥାନା ଅଞ୍ଚଳରେ ଚୋରି, ସିନ୍ଧିଚୋରି, ଡକାୟତି ଭଳି ମାମଲା ବଢ଼ି ବଢ଼ି ଚାଲିଛି । ରାତିରେ ଯେଉଁମାନେ ପାଟ୍ରୋଲିଂ କରୁଛନ୍ତି, ସେମାନେ ପିସିଆର୍‌ ଭ୍ୟାନ୍‌ ଗୋଟିଏ ସ୍ଥାନରେ ରଖି ଶୋଇ ପଡ଼ୁଛନ୍ତି । ଆଶ୍ଚର୍ଯ୍ୟ କଥା ହେଉଛି, ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ପୁଲିସ ପିସିଆର୍‌ ଭ୍ୟାନ୍‌ ଉପରେ ନିର୍ଭର କରୁଛି । ଥାନା ଗାଡ଼ିଗୁଡ଼ିକ ରାତିରେ ପାଟ୍ରୋଲିଂ କରୁଥିବା କ୍ବଚିତ ଦେଖିବାକୁ ମିଳୁଛି ।