କୃଷ୍ଣପ୍ରସାଦରେ ଚିହ୍ନଟ ପରେ ଭିତରକନିକାକୁ ବାର୍ଡଫ୍ଲୁ ଡର : ମୋଟ ୩୧୪ଟି ନମୁନା ସଂଗ୍ରହ

62

କନକ ବ୍ୟୁରୋ : ପୁରୀ ବ୍ଲକ୍‌ର କୃଷ୍ଣପ୍ରସାଦରୁ ବାର୍ଡଫ୍ଲୁ ଚିହ୍ନଟ ହେବା ପରେ ଭିତରକନିକାରେ ବାର୍ଡଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି । ଏଠାରୁ  ମୋଟ ୩୧୪ଟି ନମୁନା ସଂଗ୍ରହ କରାଯାଇଛି । ସେଗୁଡ଼ିକୁ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ପଠାଯାଇଛି । ସେଠାରୁ ତାହାକୁ ଭୋପାଳସ୍ଥିତ ଫରେନସିକ୍ ଲାବୋରେଟୋରୀକୁ ପଠାଯିବ । ନମୁନା ରିପୋର୍ଟ ଆସିବା ପରେ ଭିତରକନିକାରେ ବାର୍ଡଫ୍ଲୁକୁ ନେଇ ସ୍ଥିତି ସ୍ପଷ୍ଟ ହେବ ।

ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ସହିତ ବିଭିନ୍ନ ଦେଶରୁ ଆସିଥିବା ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି । ପକ୍ଷୀବିହାର ରୂପେ ପରିଚିତ ବଗଗହନ, ମଠଆଡିଆ ସମେତ ସାତଭାୟା, ଗହୀରମଥା, ରାଇପାଟିଆ ଓ ବିଭିନ୍ନ ଆର୍ଦ୍ରଭୂମୀରେ ଲକ୍ଷାଧିକ ସ˚ଖ୍ୟାରେ ଦେଶୀ ଓ ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି । କେବଳ ସାତଭାୟାରେ ୫୦ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି ।

ପୁରୀ କୃଷ୍ଣପ୍ରସାଦରେ ବାର୍ଡଫ୍ଲୁ ସନ୍ଧାନ ମିଳିବା ପରେ ଭିତରକନିକା ଅ˚ଚଳରେ ବାର୍ଡଫ୍ଲୁକୁ ନେଇ ସ୍ଥାନୀୟ ଅ˚ଚଳରେ ଆତଙ୍କ ସୃଷ୍ଟି ହୋଇଛି । ରାଜନଗର ପଶୁଚିକିତ୍ସା ଅଧିକାରୀ ପତିତପାବନ ବଳ, ସହକାରୀ ପଶୁଚିକିତ୍ସା ଅଧିକାରୀ ଦେବୀ ପ୍ରସାଦ କୁଣ୍ତ ଭିତରକନିକାର ମଠଆଡିଆ, ବଗଗହନ ସମେତ ଡାଙ୍ଗମାଳ, ଖମାରସାହି, ନଳିତାପାଟିଆ, ପେଣ୍ଠ, ସୁନ୍ଦରୀପାଳ ଅ˚ଚଳରୁ ନମୁନା ସ˚ଗ୍ରହ କରିଛନ୍ତି । ଭିତରକନିକାରୁ ରୁଡିସେଲଡକ, ବାରହେଡେଡଗିଜ୍‌, ନଦ୍ଦିନପିନଟେଲ, ୟୁରେସିଆନଉଇଡିଅନ ପ୍ରଭୃତି ପକ୍ଷୀଙ୍କ ଠାରୁ ୧୮୦ଟି ସେରମ ନମୁନା ସ˚ଗ୍ରହ କରାଯାଇଛି ।

୧୮ଟି ପକ୍ଷୀଙ୍କ ପାଟିର ଲାଳ ନମୂନା ସ˚ଗ୍ରହ କରାଯାଇଥିବା ବେଳେ ୧୮ ପକ୍ଷୀଙ୍କ ମଳଦ୍ବାର ମଧୢରୁ ମଳ ସ˚ଗ୍ରହ କରାଯାଇଛି । ସେହିପରି ମାଟିରେ ପଡିଥିବା ମଳର ୮୦ଟି ଓ ପକ୍ଷୀମାନେ ବସୁଥିବା ଜଳାଶୟର ୧୮ଟି ନମୁନା ସ˚ଗ୍ରହ କରାଯାଇଛି । ଏହିଭଳି ମୋଟ ୩୧୪ଟି ନମୁନା ସଂଗ୍ରହ କରାଯାଇଛି ।