ବେଗୁନିଆ ଥାନାରେ ହଙ୍ଗାମା ! ପୂର୍ବତନ ସରପଞ୍ଚଙ୍କୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ହତ୍ୟା ଧମକ ପ୍ରତିବାଦରେ ଲୋକଙ୍କ ଭଙ୍ଗାରୁଜା

151

କନକ ବ୍ୟୁରୋ : ଥାନା ଆଗରେ ହଙ୍ଗାମା । ଥାନା ଭିତରେ ଭଙ୍ଗାରୁଜା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପୂର୍ବତନ ସରପଞ୍ଚଙ୍କୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ହତ୍ୟା ଧମକ ପ୍ରସଙ୍ଗରେ ତାତି ଉଠିଛନ୍ତି ଲୋକେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗରେ ବେଗୁନିଆ ବୋଲଗଡ ଅଂଚଳର ଲୋକେ ତାତି ଉଠିଛନ୍ତି । ଶତାଧିକ ଲୋକ ପ୍ରତିବାଦ ସଭା କରିବା ସହ ଥାନା ଘେରାଉ କରିଥିଲେ । ଏହି ସମୟରେ ଉତ୍ୟକ୍ତ ଲୋକ ଓ ପୁଲିସ ଧସ୍ତାଧସ୍ତି ହୋଇଥିଲେ । ଲୋକେ ପୁଲିସକୁ ଠେଲି ଥାନା ଭିତରେ ଧସେଇ ପଶିଥିଲେ । ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ସୂଚନା ଅନୁସାରେ ଗତ ୩୧ ତାରିଖରେ ବେଗୁନିଆ ବଧାୟକ ପ୍ରଶାନ୍ତ ଜଗଦେବ ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ଆକ୍ରମଣ କରିବା ସହିତ ଧମକ ଦେଇଥିଲେ । । ଅଭିଯୋଗ ସତ୍ତ୍ୱେ ପୋଲିସ କୌଣସି ପଦକ୍ଷେପ ନନେଇ ବିଧାୟକଙ୍କୁ ଘଣ୍ଟ ଘୋଡାଇ ରଖିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବେଗୁନିଆ ଥାନାର ଗେଟ ତାଲା ଭାଙ୍ଗି ଥାନା ଭିତରେ ଧସେଇ ପସିଥିଲେ । ସୂଚନା ଅନୁସାରେ ଉତ୍ତ୍ୟକ୍ତ ଲୋକଙ୍କ ମାଡରେ ଏସଆଇ ମହେନ୍ଦ୍ର ସେଠୀ ଆହତ ହୋଇଛନ୍ତି । ଏହା ସହ ଉତ୍ତ୍ୟକ୍ତ ଲୋକମାନେ ୫୭ ନମ୍ବର ଜାତୀୟ ରାଜପଥରେ ବସି ରାସ୍ତା ଅବରୋଧ କରିଛନ୍ତି । ସ୍ଥାନୀୟ ବିଧାୟକଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକମାନେ ଚେତାବନୀ ଦେଇଛନ୍ତି ।   ପୁଲିସ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା ଜାରି ରଖିଛି। ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇଛନ୍ତି।