କୁଟିଆ ଝିଅଙ୍କ ସହ ବାଲିଗୁଡା ବିଡିଓଙ୍କ ନାଚିବା ଭିଡିଓ ଭାଇରାଲ୍ ! ଆପତ୍ତି ଉଠାଇଲେ ପୂର୍ବତନ ବିଧାୟକ, ବିଡିଓ କହିଲେ ନଥିଲା କିଛି ମନ୍ଦ ଉଦ୍ଦେଶ୍ୟ

162

କନକ ବ୍ରୁରୋ : ବିବାଦରେ ବିଡିଓଙ୍କ ନାଚ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ପଂଚାୟତ ପିଠା କାର୍ଯ୍ୟକ୍ରମରେ ନାଚିଲେ ବିଡିଓ ଜୟଦେବ ଦାଶ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଡିଓ କୁଟିଆ ଝିଅଙ୍କ କାନ୍ଧ ଉପରେ ହାତ ପକାଇ ନାଚୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏହାକୁ ନେଇ ବାଲିଗୁଡା ବିଧାୟକ କରେନ୍ଦ୍ର ମାଝି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କୁଟିଆ ଝିଅଙ୍କ ଦେହରେ ହାତ ପକାଇ ଏପରି ନାଚିବା ଅନୁଚିତ୍ । ଏଥିପାଇଁ ବିଡ଼ିଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମଧ୍ୟ ଦାବି କରିଛନ୍ତି  କରେନ୍ଦ୍ର ମାଝି ।

ବିଡିଓଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଭିଡିଓ ସମ୍ପର୍କରେ ବିଡିଓ ଜୟଦେବ ଦାଶ କହିଛନ୍ତି, ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା । ଉପସ୍ଥିତ କିଛି ବ୍ୟକ୍ତି ନାଚ କରିବାକୁ ବାଧ୍ୟ କରିବାରୁ ସେ ନାଚ କରିଥିଲେ । ଏହି ସମୟରେ ସ୍ଥାନୀୟ ବିଧାୟକ, ସରପଂଚ ଓ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ତେବେ ଏହି ଘଟଣାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି ।