ବିଚ୍ଛିନ୍ନାଂଚଳରେ ପହଂଚିବ ବିକାଶର ଧାରା ! ପଛୁଆ ଅଂଚଳରେ ମିଳିବ ଅତ୍ୟାଧୁନିକ ସୁବିଧା, ଡିଜିଟାଲାଇଜେସନ ହେବ ବିଚ୍ଛିନ୍ନାଂଚଳ

43

କନକ ବ୍ୟୁରୋ : ମାଲକାନଗିରି ମାଓ ପ୍ରବଣ ବିଚ୍ଛିନ୍ନାଂଚଳରେ ଖୁବଶୀଘ୍ର ତ୍ୱରାନ୍ୱିତ ହେବ ବ୍ୟାଙ୍କିଂ, ଇଂଟରନେଟ୍ ଓ ମୋବାଇଲ ସେବା । ସଚିବାଳୟରେ ବସିଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଫେବୃଆରୀ ସୁଦ୍ଧା ଶେଷ ହେବ ବହୁ ଚର୍ଚ୍ଚିତ ଗୁରୁପ୍ରିୟା ସେତୁ ନିର୍ମାଣ । ସଚିବାଳୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଯୋଜନାର ସମୀକ୍ଷା କରିବା ପରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ମାଲକାନଗିରିର ବିଚ୍ଛିନ୍ନାଂଚଳ । ଅନ୍ୟ ଭାଷାରେ କହିଲେ ମାଓବାଦୀଙ୍କ ଚରାଭୂଇଁ, ଲାଲଗଡ । ଗୁରୁପ୍ରୀୟା ନଦୀ ସେପଟେ ରହିଛି ୧୫୧ଟି ଗାଁ । ଜାନବାଇ ଅଂଚଳରେ ଥିବା ପ୍ରାୟ ୩ ହଜାର ଲୋକ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗମନାଗମନ ଭଳି ଅସୁବିଧା ସହ ଲୋକେ ବର୍ଷକୁ ୧୨ ମାସ ଯୁଝୁଛନ୍ତି । ଆଉ ସରକାରୀ ସୁବିଧାରୁ ବଂଚିତ ଲୋକଙ୍କୁ ଭୁତେଇ ବିଚ୍ଛିନ୍ନାଂଚଳରେ ନିଜ ଅଭେଦ୍ୟ ଗଡ ତିଆରି କରିପାରିଛନ୍ତି ମାଓବାଦୀ । ବିଛିନ୍ନାଂଚଳରେ ସରକାରୀ ସହାୟତା ପହଂଚାଇବାରେ ସବୁ ଠାରୁ ବଡ ବାଧକ ହେଉଛି ଗୁରୁପ୍ରିୟା ନଦୀ । ବିଛିନ୍ନାଂଚଳ ଯିବା ପାଇଁ ହେଲେ ମୋଟର ବୋଟ କିମ୍ବା ଡଙ୍ଗା ଦରକାର ।

ବିଛିନ୍ନାଂଚଳକୁ ଗମନାଗମନ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ଆରମ୍ଭ ହୋଇଛି । ସେତୁ ନିର୍ମାଣ ହେଲେ ପଛୁଆ ଅଂଚଳର ଲୋକଙ୍କୁ ବିକାଶ ସ୍ରୋତରେ ସାମିଲ କରିବା ପାଇଁ କଣ ସବୁ କରିବେ ତାର ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ମାଓ ଅଧ୍ୟୁଷିତ ବିଚ୍ଛିନ୍ନାଂଚଳରେ ତ୍ୱରାନ୍ୱିତ ହେବ ବ୍ୟାଙ୍କି, ଇଂଟରନେଟ୍ ଓ ମୋବାଇଲ ସେବା । ଜିଲ୍ଲାର ୧୧୧ଟି ପଂଚାୟତରୁ ୯୧ଟିରେ ବ୍ୟାଙ୍କ, ମୋବାଇଲ, ଇଂଟରନେଟ୍ ସେବା ନାହିଁ । ସେସବୁ ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଲୋକଙ୍କୁ ଯୋଗାଇ ଦିଆଯିବ । ସଚିବାଳୟରେ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଗୁରୁପ୍ରିୟା ସେତୁ ପାଇଁ ନିର୍ମାଣ ହେଉଥିବା ମୋଟ ୨୨ଟି ସ୍ପାନ୍ ରୁ ୧୭ଟିର କାମ ସରିଥିବା ବେଳେ ଆପ୍ରୋଚ ରୋଡର କାମ ସରିିଛି । ଗୁରୁପ୍ରିୟା ସେତୁ ହେଲେ ବିଚ୍ଛିନ୍ନାଂଚଳର ବିକାଶ ହେବ, ଆଉ ଲୋକେ ମାଓବାଦୀ ବଦଳରେ ସରକାର ପ୍ରତି ଆସ୍ଥାବାନ ହେବେ । ଯାହା ମାଓ ମୁକାବିଲାର ସଫଳ ରଣନୀତି ହେବ ବୋଲି ଆଶା କରାଯାଉଛି ।