ବାଲେଶ୍ୱର କେନ୍ଦ୍ରୀୟ ପାକଶାଳାର ସତ ପରଖିଲା କନକ ନ୍ୟୁଜ : ରାତି ୩ଟାରୁ ରୋଷେଇ ହେଉଛି ମଧ୍ୟାହ୍ନ ଭୋଜନ, ଦିନ ସାଢେ ଗୋଟାଏରେ ଥଣ୍ଡା ଖାଦ୍ୟ ଖାଉଛନ୍ତି ବାଲେଶ୍ୱରର ହଜାରହଜାର ଛାତ୍ରଛାତ୍ରୀ

303

କନକ ବ୍ୟୁରୋ : ବାଲେଶ୍ୱର ମୁନସିପାଲଟି ଅଂଚଳରେ ଥିବା ୭୨ଟି ସ୍କୁଲର ଦଶ ହଜାରରୁ ଉର୍ଦ୍ଧ୍ୱ ପିଲାଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ, ନିମ୍ନମାନର ତଥା ଥଣ୍ଡା ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି ପିଲାମାନେ । ସ୍କୁଲ ପରେ ସେଂଟ୍ରାଲ ପାକଶାଳାର ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । ରାତି ତିନିଟାରୁ ଆରମ୍ଭ ହେଉଥିବା ରୋଷେଇ ଖାଦ୍ୟକୁ ଦିନ ଗୋଟାଏରେ ପିଲା ଖାଉଛନ୍ତି ।

ବାଲେଶ୍ୱର ପୌରପରିଷଦର ୭୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରୀୟ ପାକଶାଳା ଠାରୁ ହିଁ ଯାଉଛି ମଧ୍ୟାହ୍ନ ଭୋଜନ । ତେବେ ସହର ଠାରୁ ୧୫ କିଲୋମିଟର ଦୂରରେ ଥିବା ଏହି କେନ୍ଦ୍ରୀୟ ପାକଶାଳାରୁ ଖାଦ୍ୟ ରୋଷେଇ ହୋଇ ସ୍କୁଲରେ ପହଂଚିଲା ବେଳେ ଖାଦ୍ୟ ଥଣ୍ଡା ହୋଇଯାଉଛି । ସରକାରୀ ନିୟମ କହୁଛି ଛାତ୍ରଛାତ୍ରୀଙ୍କୁ ଗରମ ଏବଂ ଉନ୍ନତ ମାନର ଖାଦ୍ୟ ଦିଆଯିବ, ହେଲେ ଏହି ପାକଶାଳା ନିମ୍ନମାନ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି ।

ଲୋକଙ୍କ ଅଭିଯୋଗର ସତ ଜାଣିବା ପାଇଁ କନକ ନ୍ୟୁଜ ପ୍ରତିନିଧି ସୁମନା ପରିଡା ପହଂଚିଥିଲେ କେନ୍ଦ୍ରୀୟ ପାକଶାଳାରେ । ଆଉ ସେଠାରୁ ଜାଣିବାକୁ ପାଇଥିଲେ ଯେ, ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟ ରାତି ୩ଟାରୁ ରୋଷଇ ହୁଏ । ଏବଂ ୨ ଘଂଟା ଭିତରେ ରୋଷେଇ ସରିବା ପରେ ଷ୍ଟିଲ କେନରେ ଖାଦ୍ୟ ଭର୍ତି କରାଯାଏ । ପରେ ସେଗୁଡିକୁ ଗାଡି ଯୋଗେ ବିଦ୍ୟାଳୟ ଗୁଡିକୁ ପଠାଏ । ଦିନ ପ୍ରାୟ ୧୧ଟା ସୁଦ୍ଧା ଖାଦ୍ୟ ସ୍କୁଲରେ ପହଂଚୁଥିବା ବେଳେ ପିଲାଙ୍କୁ ଗୋଟାଏ ସାଢେ ଗୋଟାଏରେ ଖାଇବାକୁ ଦିଆଯାଏ । ଏଥିରୁ ସ୍ପଷ୍ଟ ଯେ, ରାତି ୩ଟାରୁ ରୋଷେଇ ହେଉଥିବା ଖାଦ୍ୟକୁ ଦିନ ଗୋଟାଏରେ ଖାଉଛନ୍ତି କୋମଳ ମତି ଛାତ୍ରଛାତ୍ରୀ ।

 

ଗତ ଅକ୍ଟୋବର ୧୫ ତାରିଖରୁ ବାଲେଶ୍ୱରରେ କେନ୍ଦ୍ରୀୟ ପାକଶାଳାରେ ମଧ୍ୟାହ୍ଲ ଭୋଜନ ପ୍ରସ୍ତୁତ ହେଉଛି । ମଧ୍ୟାହ୍ନ ଭୋଜନ ନିମ୍ନମାନର, ଖାଦ୍ୟରୁ ଗୋଡି ବାହାରିବା ଓ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ନିଅଂଟ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଏହି ଯୋଜନାକୁ ହାତକୁ ନେଇଥିବା ଏନଜିଓର କୋଷାଧ୍ୟକ୍ଷ । ହେଲେ ଏନେଇ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।