ବକେୟା ଚାଉଳ ମାଗିବାରୁ ମହିଳାଙ୍କୁ ମାଡ଼ ! ଅବସ୍ଥା ସଂକଟାପନ୍ନ ହେବାରୁ ମେଡିକାଲରେ ଭର୍ତ୍ତି

166

କନକ ବ୍ୟୁରୋ : ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ବକେୟା ଚାଉଳ ମାଗିବାରୁ ଜଣେ ମହିଳାଙ୍କୁ କିଛି ଲୋକ ଅତ୍ୟନ୍ତ ନୃଶଂସ ଭାବେ ମାଡ଼ ମାରି ତଳେ କଚାଡ଼ି ଦେଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଘଟଗାଁ ମେଡିକାଲର ଭର୍ତ୍ତି କରାଯାଇଛି । ଗ୍ରାମରକ୍ଷୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ପଞ୍ଚାୟତର ଚାଉଳ ବଣ୍ଟନ ବାର ଅନୁଯାୟୀ ଗତକାଲି ରାମଚନ୍ଦ୍ରପୁର ଗ୍ରାମର ଲୋକଙ୍କୁ ଚାଉଳ ଦିଆଯାଉଥିଲା ।

ମୁକ୍ତାପୁର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମର ଆଦିବାସୀ ମହିଳା ସରସ୍ବତୀ ମୁଣ୍ଡା (୪୫) । ସେ ଗତକାଲି ସ୍ବାମୀ ରବି ମୁଣ୍ଡାଙ୍କ ସହ ପଞ୍ଚାୟତକୁ ଚାଉଳ ନେବାକୁ ଆସିଥିଲେ ।  ପୂର୍ବ ମାସରେ ଚାଉଳ ସରିଯିବାରୁ ଏ ମାସରେ ସରସ୍ବତୀଙ୍କୁ ଦୁଇମାସର ଚାଉଳ ଦିଆଯିବ ବୋଲି କୁହାଯାଇଥିଲା । ସେ ଦୁଇମାସର ଚାଉଳ ମାଗିବାରୁ ତାଙ୍କୁ ଦିଆଯାଇ ନଥିଲା । ସରସ୍ବତୀ ଜିଦ୍‌ ଧରିବାରୁ ସେଠାରେ ଥିବା କିଛି ଲୋକେ ତାକୁ ମାଡ଼ ମାରିଥିଲେ । ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ମିଶି ସରସ୍ବତୀଙ୍କ ଚୁଟି ଘୋଷାରି ତଳେ କଚାଡ଼ି ଦେବା ସହିତ ପ୍ରବଳ ମାଡ଼ ମାରିଥିଲେ । ସରସ୍ବତୀ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କର ଏଭଳି ଅବସ୍ଥା ଦେଖି କିଛି ସମୟ ପାଇଁ ଚାଉଳ ବଣ୍ଟନ ବନ୍ଦ ହୋଇଯାଇଥିଲା ।

କିଛି ଲୋକେ ପାଣି ଛିଞ୍ଚିବା ପରେ ସରସ୍ବତୀଙ୍କ ଚେତା ଫେରିଥିଲା । ରକ୍ତ ଜୁଡ଼ୁବୁଡ଼ୁ ହୋଇ ସରସ୍ବତୀ ଘରକୁ ଫେରି‌ଥିଲେ। ମାତ୍ର ଆଜି ତାଙ୍କର ପ୍ରବଳ ମୁଣ୍ଡ ବୁଲାଇଥିଲା । ସେ କିଛି କାମ କରିପାରି ନଥିଲେ । ଫଳରେ ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ସଂପର୍କରେ ବ୍ଲକ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଚିତ୍ତରଞ୍ଜନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଇଥିଲେ । ଏନେଇ ସେ ଅବଗତ ଅଛନ୍ତି । ଚାଉଳ ତାଙ୍କ ଘରକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ।