ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲା ! ଆଜି ୨୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ହୋଇପାରେ ଚାର୍ଜଫ୍ରେମ

28

କନକ ବ୍ୟୁରୋ : ଚିଟଫଣ୍ଡ ଠକକୁ ଜେଲ ଦଣ୍ଡ । ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୭ବର୍ଷ ଜେଲ ସହ ୩୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି । ସିବିଆଇ ସ୍ପେଶାଲ ସିଜେଏମ୍ କୋର୍ଟ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଦୋଷୀଙ୍କ ପ୍ରତି ଦଣ୍ଡବିଧାନ କରିଛନ୍ତି । ସେହିପରି ପ୍ରଦୀପ ସେଠୀଙ୍କ ସହଯୋଗୀ ମନୋଜ ପଟ୍ଟନାୟକଙ୍କୁ ୪ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି ।

ଆଇପିସିର ବିଭିନ୍ନ ଧାରା ସମେତ ବେଆଇନ୍ ଟଙ୍କା କାରବାର ଅଭିଯୋଗ ଆଧାରରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏଟି ଗ୍ରୁପକୁ ୨୫୦ କୋଟି ଟଙ୍କା ଜମା କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥକୁ ସରକାରୀ ତହବିଲ୍ରେ ଜମା କରିବାକୁ କୋର୍ଟ୍ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥ ଚିଟଫଣ୍ଡ ଜମାକାରୀଙ୍କୁ ଫେରସ୍ତ କରାଯିବ ବୋଲି କୋର୍ଟ କହିଛନ୍ତି ।

ପ୍ରଦୀପ ଟଙ୍କା ଜମା ନକରିପାରିଲେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପକ୍ଷରୁ ଜବତ ହୋଇଥିବା ଅର୍ତତତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତିକୁ ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କ ଆକାଉଂଟରେ ଜମା କରିବାକୁ କୁହାଯାଇଛି । ମାମଲାରେ ଅନ୍ୟ ୨୧ ଜଣଙ୍କ ବିରୋଧରେ ଆଜି ଚାର୍ଜଫ୍ରେମ୍ ହେବ । ଦୀର୍ଘ ୪ ବର୍ଷ ପରେ କୋର୍ଟଙ୍କ ଏଭଳି ରାୟ ଜମାକାରୀଙ୍କ ମନରେ ଖୁସିର ଲହରୀ ଖେଳାଇଦେଇଛି ।