ବିଧାନସଭାରେ ଚାଷୀ ତାତି : ଧାନ କିଣା ପ୍ରସଙ୍ଗରେ ବିଜେପି କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ପରେ ଚାଲିପାରିଲାନି ଗୃହ, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ 

221

କନକ ବ୍ୟୁରୋ : ଚାଷୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଜି ଚାଲିପାରିନାହିଁ ବିଧାନସଭା । ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ବାରମ୍ୱାର ଗୃହ ମୁଲତବୀ ହେଉଛି । ନାରୀ ନିର୍ଯାତନା, ଖଣିଜ ସମ୍ପଦ ଚୋରାଚାଲାଣ ଓ ଧାନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ୧୧ଟା ୩୦ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ପୁଣି ଧାନ କିଣା ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ ।

ଫଳରେ ଗୃହକୁ ଦିନ ୧୨ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଏହାପରେ ୧୨ଟା ୩୦ରୁ ୧୦ ମିନିଟ୍ ପାଇଁ ଗୃହ ମୁଲତବୀ ହୋଇଥିଲା କିନ୍ତୁ ପରେ ବି ଗୃହ କାର୍ଯ୍ୟ ସ୍ୱଭାବିକ ହୋଇପାରିନଥିଲା । ଫଳରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ । ତାହା ବି ବିଫଳ ହୋଇଛି ।

ସେପଟେ ବାରମ୍ବାର ଗୃହ ମୁଲତବୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ବିରୋଧୀ ଦଳ ପ୍ରଶ୍ନ କାଳରେ ଉଠାଉଥିବା ପ୍ରସଙ୍ଗ ଉପରେ ବିଭାଗୀୟ ମନ୍ତ୍ରୀ ଉତର ରଖୁନାହାନ୍ତି, କି ସର୍ବଦଳୀୟ ବୈଠକରେ ବିଭାଗୀୟ ସଚିବଙ୍କୁ ଡାକି ବିରୋଧୀଙ୍କ ଦାବି ବାବଦରେ ଆଲୋଚନା କରାଯାଉନଥିବା କହିଛନ୍ତି ନରସିଂହ ମିଶ୍ର ।