ନାଗରିକତା ବିଲକୁ ନେଇ ହିଂସା : ଆସାମରେ ଟ୍ରେନରେ ନିଆଁ ଲଗାଇବାକୁ ବିକ୍ଷୋଭକାରୀଙ୍କ ଉଦ୍ୟମ, ଶହ ଶହ ଯାତ୍ରୀଙ୍କ ଜୀବନ ବଚାଇଲା ଭାରତୀୟ ସେନା

443

କନକ ବ୍ୟୁରୋ :  ଦେଶରେ ନାଗରିକତା ବିଲ୍ ନିଆଁ । ନାଗରିକତା ସଂଶୋଧନ ବିଲକୁ ନେଇ ଏବେ ଆସାମରେ ବିକ୍ଷୋଭକାରୀ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଏହି ହିଂସାରୁ ବର୍ତ୍ତିପାରିନାହାନ୍ତି ସାଧାରଣ ଲୋକ । ବିକ୍ଷୋଭକାରୀ ଯାନବାହାନରେ ନିଆଁ ଲଗାଇବା ସହ ଆସାମରେ ଗମନାଗମନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ବିକ୍ଷୋଭକାରୀ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ସେନା ଏଭଳି ଏକ ଉଦ୍ୟମକୁ ପଣ୍ଡ କରିଦେଇଛି । ସେନା ପାଇଁ ଶହ ଶହ ଯାତ୍ରୀଙ୍କ ଜୀବନ ବଂଚିଯାଇଛି ।

ସୂଚନା ମୁତାବକ ଗୁରୁବାର ଦିନ ବିକ୍ଷୋଭକାରୀମାନେ ନହରକାଟିଆ ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲଗାଇବାକୁ ପହଂଚିଥିଲେ । ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଟ୍ରେନ ଭିତରେ ଫସିରହିଥିଲେ ବହୁ ଯାତ୍ରୀ । ତେବେ ରେଳ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସେନାର ଯବାନଙ୍କ ପ୍ରୟାସ ଯୋଗୁଁ ଏହି ଟ୍ରେନର ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ସେନା ପକ୍ଷରୁ କୁହାଯାଇଛି ଯେ ନହରକାଟିଆ ରେଳ ଷ୍ଟେସନରେ ସୀଲଚର-ଦିବରୁଗଡ଼ ବ୍ରହ୍ମପୁତ୍ର ଏକ୍ସପ୍ରେସ ଛିଡା ହୋଇଥିଲା । ଏହି ସମୟରେ ବିକ୍ଷୋଭକାରୀ ଏହି ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ ।