ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ : ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଗ୍ରହଣ କଲେ ଦାୟିତ୍ୱ

182

କନକ ବ୍ୟୁରୋ : ୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର ।  ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭବେ ନିଯୁକ୍ତି ଦିଆଯିବା ପରେ ଅସିତ୍ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସୁରେଶ ମହାପାତ୍ର ମଧ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନ୍ୟପଟେ ମୁଖ୍ୟ ନିର୍ବାଚସ କମିସନ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପ୍ରସାଦ ପାଢ଼ୀ ।

ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ପ୍ରେସମିଟ୍ କରିଛନ୍ତି । ପ୍ରେସମିଟ୍ ଜରିଆରେ ସେ କହିଛନ୍ତି ୫ଟି ଢ଼ାଞ୍ଚାରେ ସରକାର ଚାଲିବ । ନିର୍ଦ୍ଦିଷ୍ଟ ସମୟସୀମା ଭିତିରେ କାମ ସାରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏବଂ ଅନଲାଇନ ଖଜଣା ପ୍ରଦାନ ଉପରେ ମଧ୍ୟ ଗୁରୁୁତ୍ୱ ପ୍ରଦାନ କରାଯିବ ।

ଦୀର୍ଘ ୩୩ ବର୍ଷର କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି ଅସିତ ତ୍ରିପାଠୀ । ୧୯୬୦ ମସିହାରେ ବଲାଙ୍ଗ୍ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜେଏନୟୁରୁ ଏମଫିଲ କରିବା ସହ ଏକ ବିଦେଶୀ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରି ହସଲ କରିଛନ୍ତି । ଆଇଏଏସ୍ ଚାକିରିରେ ଯୋଗଦେବାପରେ ସେ ପ୍ରଥମେ ତାଳଚେରର ଉପଜିଲ୍ଲାପାଳ ରହିଥିଲେ । ସେହି ସମୟରେ କୋଇଲା ମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରିଥିବାରୁ ତାଙ୍କୁ ପ୍ରଶଂସା ମିଳିଥିଲା । ପଦୋନ୍ନତି ପାଇଁ ସେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ । ସେ ସମୟରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଲିଜ୍ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା । ସାକ୍ଷରତା ଲକ୍ଷ୍ୟ ହାସଲ କରାଇବାରେ ମଧ୍ୟ ତାଙ୍କ ଭୂମିକା ପାଇଁ ସେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ ।

ପରେ ପଦୋନ୍ନତି ପାଇ ପ୍ରଥମେ ନୂଆପଡ଼ା ଓ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ହୋଇଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ରହିବା ପରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ପର୍ଯ୍ୟଟନ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ଅସିତ୍ ତ୍ରିପାଠୀ ଲମ୍ବା ସମୟ ପାଇଁ ଇଡକୋର ଏମଡି ଭାବେ କାର୍ଯ୍ୟ କରିଛନ୍ତି । ଶକ୍ତି ବିଭାଗର ସଚିବ ରହିବା ସହ ଓଏଚପିସି ଏବଂ ଓପିଜିସିର ସଂପ୍ରସାରଣରେ ଉଲ୍ଲେଖନୀୟ ଭୂମିକା ନେଇଥିଲେ ।

ଏହାବ୍ୟତୀତ ସେ କେନ୍ଦ୍ର ଡେପୁଟେସନରେ ଯାଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ (ଆପେଡା) ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ପରେ ରାଜ୍ୟକୁ ଫେରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନିର୍ବାହ କରିଆସୁଥିଲେ । ଜଣେ ଟେନିସ ଖେଳାଳି ଭାବେ ତାଙ୍କର ମଧ୍ୟ ସୁନାମ ରହିଛି । ଏବେ ସେ ଓଡ଼ିଶା ଟେନିସ ଆସୋସିଏସନର ସଭାପତି ଥିବାବେଳେ ସର୍ବଭାରତୀୟ ଟେନିସ ଆସୋସିଏସନର କାର୍ଯ୍ୟକାରୀ କମିଟି ସଦସ୍ୟ ଅଛନ୍ତି  ।