ବିଜେପିକୁ ଅଶୋକ ଅଡ଼ୁଆ : ପୁଣି ଅଣଦେଖା ଅଭିଯୋଗ ଆଣିଲେ,ବିଜେପୁର ବ୍ୟାଟେଲ୍ ପୂର୍ବରୁ ଦଳ ଛାଡ଼ିବେ କି ନେତା ?

572

କନକ ବ୍ୟୁରୋ : ବିଜେପି ଛାଡ଼ିବେ କି ଅଶୋକ ପାଣିଗ୍ରାହୀ ? ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କୁ ନେଇ ସସପେନ୍ସ ଜାରି ରହିଛି । ପୁଣି ଥରେ ଦଳ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ଦିନେ ଦୁଇ ଦିନ ଭିତରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ସିଧାସଳଖ କହିଛନ୍ତି । ବିଜେପୁର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ଅଶୋକଙ୍କ ଅସନ୍ତୋଷ ଦଳ ପାଇଁ ଶୁଭଦାୟକ ମନେହେଉନାହିଁ ।  ଗୋଟିଏ ପଟେ ଦୁର୍ଗାପୂଜା ପୂଜା ପରେ ବିଜେପୁର ମୈଦାନ ପ୍ରଚାର ପାଇଁ ସରଗରମ ହେବାକୁ ଯାଉଥିବା ବେଳେ ଅଶୋକଙ୍କ ଏପରି ବୟାନ ବିଜେପିକୁ ଅକଳରେ ପକାଇଛି ।

ଦଳ ଉପରେ ପୁଣି ଅସନ୍ତୋଷ ଜାହିର କରିଛନ୍ତି ଅଶୋକ ପାଣିଗ୍ରାହୀ ।ବିଜେପି ବିରୋଧରେ ବର୍ଷିଛନ୍ତି ଅସନ୍ତୁଷ ବିଜେପି ନେତା ଅଶୋକ ପାଣିଗ୍ରାହୀ । ବିଜେପୁର ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିପାରେ । ଟିକେଟ୍ ନମିଳିବାରୁ ଦଳ ଛାଡ଼ିବାର ଅନେକ ସମ୍ଭାବନା ରହିଛି । ସମର୍ଥକ ମାନେ ଚାପ ପକାଉଥିବାରୁ ଖୁବ ଶୀଘ୍ର ଦଳ ଛାଡ଼ିପାରନ୍ତି ବୋଲି ଆକଳନ କରାଯାଉଛି । ଦାମ ବାବୁଙ୍କ ପରି ଦଳ ଅଣଦେଖା କରୁଥିବା ସେ କହିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଦାୟିତ୍ୱ ମିଳିନାହିଁ । ଦାୟିତ୍ୱ ଦେଲେ ବିଚାର କରାଯିବ ନତୁବା କର୍ମୀଙ୍କ ପାଇଁ ନିଷ୍ପତ୍ତି ନେବି । ୨୦୧୮ ସାଧାରଣ ନିର୍ବାଚନରେ କୌଣସି ଦାୟିତ୍ୱ ଦେଇନଥିଲେ ମଧ୍ୟ ସେ ନୀରବ ଥିଲି । ହେଲେ ଦଳ ବିଶ୍ୱାସ କରୁନଥିବା କଥା କହି କ୍ଷୋଭ ପ୍ରକାଶ କରିଛନ୍ତି ଅଶୋକ ପାଣିଗ୍ରାହୀ

ଅଶୋକ ପାଣିଗ୍ରାହୀ ୨୦୦୦ ମସିହାରେ ବିଜେପୁର ବିଧାୟକ ବନିଥିଲେ । ଏହାପରେ ବିଜେଡିରେ ବି ସାମିଲ ହୋଇଥିଲେ । ହେଲେଏ ୨୦୧୪ରେ ବିଜେଡି ଟିକେଟ ନ ମିଳିବା ପରେ ବିଜେଡି ଠାରୁ ତାଙ୍କ ଦୂରତା ବଢିଥିଲା । ୨୦୧୮ ବିଜେପୁର ଉପ-ନିର୍ବାଚନ ବେଳେ ସେ ବିଜେପିରେ ସାମିଲ ହେବା ସହ ଦଳୀୟ ଟିକେଟ ପାଇ ନିର୍ବାଚନ ଲଢିଥିଲେ । ହେଲେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ ଅଶୋକ । ୨୦୧୯ ସାଧାରଣ ନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କୁ ଟିକେଟ ମିଳିନଥିବା ବେଳେ ଚଳିତ ମାସରେ ପୁଣି ଥରେ ବିଜେପୁର ଆଉ ଏକ ଉପନିର୍ବାଚନକୁ ସାମ୍ନା କରିବାକୁ ଯାଉଛି । ଆଉ ଠିକ ଏତିକି ବେଳେ ବିଜେପିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅଶୋକ ପାଣିଗ୍ରାହୀ ।

ବିଜେପୁର ନିର୍ବାଚନ ପାଇଁ ଶାସକ ଦଳ ଜୋରସୋରରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ଦଳରେ ପଛରେ ପଡ଼ିଯାଇଛି । ଆସନ୍ତା ୧୭ ଓ ୧୮ ତାରିଖରେ ବିଜେଡ଼ି ସୁପ୍ରିମୋ ବିଜେପୁର ପ୍ରଚାରରେ ଯିବେ । ଏପଟେ ବିଜେପି ଓ କଂଗ୍ରେସ ଅସନ୍ତୁଷ୍ଟଙ୍କୁ ମନାଇବାରେ ବ୍ୟସ୍ତ । ଗୋଟିଏ ପଟେ ପିସିସି ସଭାପତି ଅସନ୍ତୁଷ୍ଟିଆ ନେତା ରିପୁନାଥଙ୍କୁ ମନାଇବାରେ ସଫଳ ହୋଇଥିବା ବେଳେ ବିଜେପି ପାଇଁ କିନ୍ତୁ ଅଶୋକ ପାଣିଗ୍ରାହୀ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି । ଉପନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ବିଜେପି ପାଇଁ ବିଜେପୁର ବିଜୟ କାଠିକର ପାଠ ହେବ ।