ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଅରୁପ ପଟ୍ଟନାୟକଙ୍କ ପ୍ରତିକ୍ରିୟା ! କହିଲେ, ପୂର୍ବତନ ପୋଲିସ ଅଫିସର ଭାବେ ନୁହେଁ ସାଧାରଣ ନାଗରିକ ଭାବେ ଲଢିବି ନିର୍ବାଚନ

435

କନକ ବ୍ୟୁରୋ : ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଅରୁପ ପଟ୍ଟନାୟକ । ନିଜକୁ ପୂର୍ବତନ ପ୍ରଶାସକ ନୁହେଁ ବରଂ ଜଣେ ସାଧାରଣ ନାଗରିକ ବୋଲି କହିଛନ୍ତି ଅରୁପ ପଟ୍ଟନାୟକ । ଲୋକଙ୍କ ପାଇଁ ଭଲ କାମ କରିବା ପାଇଁ ସେ ସଂକଳ୍ପବଦ୍ଧ ଏବଂ ତାଙ୍କର ଏକ ପ୍ରତିବଦ୍ଧତା ଥିବା ସେ କହିଛନ୍ତି । ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କ ବିପକ୍ଷରେ ଲଢେଇ କିଭଳି ହେବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅରୂପ କହିଛନ୍ତି, ଯାହାର ଲୋକ ସଂପର୍କ ବେଶୀ ତାଙ୍କର ବିଜୟ ହେବ । ପ୍ରତିଶ୍ରୁତି ଦେବା ତାଙ୍କର ଅଭ୍ୟାସ ନୁହେଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଭୁବନେଶ୍ୱର ପାଇଁ ଅରୁପଙ୍କୁ ବାଛିଛନ୍ତି ବିଜେଡ଼ି ସୁପ୍ରିମୋ । ପାଞ୍ଚ ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ହଟାଇ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୦୧୪ରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । ବିଜେପି ପ୍ରାର୍ଥୀ ପୃଥ୍ୱିରାଜ ହରିଚନ୍ଦନଙ୍କୁ ହରାଇ ବନିଥିଲେ ସାଂସଦ । ତେବେ ୨୦୧୯ରେ ପ୍ରସନ୍ନଙ୍କୁ ଟିକେଟ ମିଳିନାହିଁ । ଏପରିକି ନବୀନ ତାଙ୍କୁ ରାଜ୍ୟସଭା ପଠାଇବେ ବୋଲି ଘୋଷଣା କରିସାରିଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ବିଜେଡି ତରଫରୁ ଭୁବନେଶ୍ୱର ଲୋକସଭା ଆସନରେ ଲଢିବେ । ବିଜେଡି ଗଠନ ହେବା ଦିନ ଠାରୁ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି । ୧୯୯୮ରୁ ୨୦୧୪ ମଧ୍ୟରେ ହୋଇଥିବା ପାଞ୍ଚଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ବିଜୟ ଲାଭ କରିଛନ୍ତି । ହେଲେ ଏଥର ଲଢ଼େଇର ପରିଣତି କ’ଣ ହେବ ଫଳାଫଳ ଆସିଲ ପରେ ଜଣାପଡ଼ିବ ।