ଆଉ ନାହାନ୍ତି ବିଚକ୍ଷଣ ରାଜନେତା : ଅରୁଣଙ୍କ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସର୍ବଦା ସ୍ମୃତିଚାରଣ କରିବ ଦେଶ

883

ଆରପାରିଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ବିଜେପିର ବିରଷ୍ଠ ନେତା ଆଜି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀର ଦାୟିତ୍ୱ ତୁଲାଇଥିଲେ । ମୋଦିଙ୍କ ବିଶ୍ୱସ୍ତନୀୟ ମନ୍ତ୍ରୀ ଥିଲେ ଅରୁଣ ଜେଟଲୀ । ଆଜି ଜେଟଲୀ ଆମ ପାଖରେ ନାହାନ୍ତି ହେଲେ ବିମୁଦ୍ରାକରଣ, ଜିଏସଟି ଏଭଳି ୬ଟି ବଡ଼ ନିଷ୍ପତିକୁ ନେଇ ତାଙ୍କୁ ଦେଶ ସବୁଦିନ ପାଇଁ ମନେପକାଇବ ।

ମୋଦି ସରକାରଙ୍କ ପ୍ରଥମ ପାଳିରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟ ଥିଲା ଅରୁଣ ଜେଟଲୀଙ୍କ ହାତରେ । ଆଉ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ଦେଶରେ ବିମୁଦ୍ରାକରଣ ଘୋଷଣା କରିଥିଲେ ମୋଦି ସରକାର । କଳା ଧନ ଉପରେ ଅଙ୍କୁଶ ଲଗାଇବାକୁ ହଜାରେ ଏବଂ ୫ଶହ ଟଙ୍କିଆ ନୋଟ ଉପରେ ରାତି ଅଧିଆ ପ୍ରତିବନ୍ଧକ ଲାଗିଥିଲା । ମୋଦି ସରକାରଙ୍କ ଏହି ନିଷ୍ପତିକୁ କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ମଂଜୁରୀ ଦେଇଥିଲା । ପୁରା ରଣନୀତି ଗୋପନୀୟତାରେ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ପୂର୍ବ କଂଗ୍ରେସ ସରକାର ଅମଳରେ ବ୍ୟାଙ୍କର ଦ୍ୱାର ଗରିବଙ୍କ ପାଇଁ ଖୋଲୁନଥିଲା । ହେଲେ ମୋଦି ସରକାରରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ ଗରିବଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଖୋଲିଦେଲେ । ତାଙ୍କରି କାର୍ଯ୍ୟକାଳରେ ଲାଗୁ ଜନଧନ ଯୋଜନା ପାଇଁ ଆଜି ଦେଶରେ ୩୫ ଦଶମିକ ୫୯ କୋଟି ଲୋକ ବ୍ୟାଙ୍କ ଖାତା ଖୋଲିଛନ୍ତି । ମୋଦି ସରକାରଙ୍କ ଜନଧନ ଯୋଜନା ୨୦୧୪ରେ ଆରମ୍ଭ ହୋଇଥିଲା । ଏହି ଯୋଜନାକୁ ସଫଳ କରିବା ପାଇଁ ଅରୁଣ ଜେଟଲୀଙ୍କ ବଡ଼ ଯୋଗଦାନ ଥିଲା । ଜେଟଲୀଙ୍କ ସଫଳ ଅବଦାନ ପାଇଁ ଆଜି ମୋଦି ସରକାରଙ୍କ ଏହି ଯୋଜନା ସାରାଦେଶର ଗରିବ ଲୋକଙ୍କ ପାଖରେ ପହଂଚି ପାରିଛି ।

ସେହିପରି ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ଜିଏସଟିକୁ ଲାଗୁ କରିବାରେ ମଧ୍ୟ ଜେଟଲୀଙ୍କ ଅବଦାନ ଅତୁଳନୀୟ । ଜିଏସଟିର ଅର୍ଥ ଗୋଟିଏ ରାଷ୍ଟ୍ର ଓ ଗୋଟିଏ ଟିକସ । ହେଲେ ଏହାକୁ ଲାଗୁ କରିବା ପାଇଁ ଶେଷ ନିଷ୍ପତି ନେବା ସହଜ ନଥିଲା । କଂଗ୍ରେସ ଶାସନ ଗାଦିରେ ଥିବା ସମୟରେ ଟିକସ ବ୍ୟବସ୍ଥାରେ ସଂସ୍କାର ପାଇଁ ଏହି ପ୍ରସ୍ତାବ ଉପରେ ଅନେକ ଚର୍ଚ୍ଚ ହୋଇଥିଲା । ହେଲେ ସାହସର ସହ ପଦକ୍ଷେପ ନେଇଥିଲେ ଅରୁଣ ଜେଟଲୀ ।

ମୋଦି ସରକାରଙ୍କ ‘ଆୟୁଷ୍ମାନ ଭାରତ ଯୋଜନା’ । ଯାହା ପାଇଁ ଦେଶରେ ଅନେକ ପ୍ରଶଂସା କରାଯାଉଛି । ଆୟୁଷ୍ମାନ ଭାରତ ଯୋଜନାକୁ ଜନ ଆୟୋଗ ଯୋଜନା ନାଁରେ ମଧ୍ୟ ଲୋକ ଜାଣନ୍ତି । ଜେଟଲୀ ୨୦୧୮-୧୯ରେ ସାଧାରଣ ବଜେଟ ଉପସ୍ଥାପିତ କରୁଥିବା ସମୟରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ୨୦୧୯ରେ ଦଳ ପାଇଁ ସଂଜୀବନୀ ଭଳି କାମ କରିଥିଲା । ଆୟୁଷ୍ମାନ ଯୋଜନା ଅର୍ଥାତ, ପ୍ରତି ଗରିବ ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ସରକାରଙ୍କ ତରଫରୁ ଦିଆଯାଉଛି । ଦେଶରେ ୧୦ କୋଟି ପରିବାରର ୫୦ କୋଟି ସଦସ୍ୟ ଏହି ଯୋଜନାର ଲାଭ ଉଠାଉଛନ୍ତି ।

‘ମୁଦ୍ରା ଯୋଜନା’ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଡ଼୍ରିମ ପ୍ରୋଜେକ୍ଟ ଥିଲା । ଏଥିରେ ମଧ୍ୟ ଜେଟଲୀଙ୍କ ଅବଦାନ ଗରୁତ୍ୱପୁର୍ଣ୍ଣ ଥିଲା । ୨୦୧୫ ମସିହା ଅପ୍ରେଲ ମାସରେ ଏହି ଯୋଜନାର ଶୁଭରମ୍ଭ ହୋଇଥିଲା । ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବାର କାମ କରିଥିଲେ ଜେଟଲୀ । ଏହି ଯୋଜନାର ଦ୍ୱାରା ଦେଶର ୭୩ ପ୍ରତିଶତ ମହିଳାମାନେ ଲାଭ ଉଠାଇଛନ୍ତି । ଏହି ଯୋଜନାର ମୁଖ୍ୟ ଉର୍ଦ୍ଦେଶ୍ୟ ଥିଲା ଲୋକଙ୍କୁ ସ୍ୱାବଲମ୍ବି କରିବା । ଦେଶର ଅନେକ ବ୍ୟାଙ୍କ ଦ୍ୱାରା ଲୋକ ଲୋନ ପାଇପାରିବେ ।

୨୦୧୫ ମସିହା ଜାନୁଆରୀରେ ଆରମ୍ଭ ହୋଇଥିବା ‘ସୁକନ୍ୟା ସମୁଦ୍ଧି ଯୋଜନା’ ମଧ୍ୟ ବେଶ ସଫଳ ହୋଇଛି । ୨୦୧୮ -୧୯ ବଜେଟ ଭାଷଣରେ ଜେଟଲୀ କହିଥିଲେ । ଆଜି ବି ଦେଶରେ ଲୋକ ନିଜ ଝିଅର ଭବିଷ୍ୟତକୁ ତିଆରି କରିବା ପାଇଁ ଏହି ଯୋଜନାର ଫାଇଦା ଉଠାଉଛନ୍ତି । ଏହି ଯୋଜନା ୧୦ ବର୍ଷରୁ କମ୍ ବୟସର ଝିଅଙ୍କ ପାଇଁ ଲାଗୁ କରାଯାଇଥିଲା । ଏହି ଯୋଜନାକୁ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ମାଧ୍ୟମରେ ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନା ଦ୍ୱାରା ୧୦ ବର୍ଷରୁ କମ୍ ଝିଅଙ୍କ ନାଁରେ ୨୫୦ ଟଙ୍କାରେ ବ୍ୟାଙ୍କରେ ଖାତା ଖୋଲାଯାଇପାରିବ ।