କନକ ବ୍ୟୁରୋ : ଆରପାରିରେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଅରବନ୍ଦି ମୁଦୁଲି । ହୃଦଘାତରେ ଅରବିନ୍ଦ ମୁଦୁଲିଙ୍କ ପରଲୋକ । ଭୁବନେଶ୍ୱରର ଆଦିତ୍ୟ କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଛାତିରେ ଯନ୍ତ୍ରଣା ପାଇଁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଓଡିଆ ଭଜନ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି । ତାଙ୍କ ଦେହାନ୍ତ ଓଡିଆ ଭଜନ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଅରବିନ୍ଦଙ୍କ ଶେଷ ଦର୍ଶନ ପାଇଁ ସଂପର୍କୀୟ ଓ ପ୍ରଶଂସକ ଆଦିତ୍ୟ କେୟାର ହସ୍ପିଟାଲରେ ପହଂଚିଥିଲେ । ପୁରୁଣା ଭୁବନେଶ୍ୱର ବାସଭବନରେ ଅରିବନ୍ଦିଙ୍କ ବନ୍ଧୁ ଓ ପ୍ରଶଂସକ ତାଙ୍କ ଶେଷ ଦର୍ଶନ କରିଛନ୍ତି । ସେଠାରୁ ତାଙ୍କ ମୃତଦେହକୁ ପୈତୃକ ବାସଭବନ ଖୋର୍ଦ୍ଧାର ଖଣତି ଅଭିମୁଖେ ନିଆଯିବ । ସେଠାରେ କିଛି ସମୟ ରହିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ପଂଚଭୁତରେ ଲୀନ ହେବ ସ୍ୱରଅରବିନ୍ଦଙ୍କ ପଂଚଆତ୍ମା ।

ଆସନ୍ତା ୮ ତାରିଖରେ ଅରବିନ୍ଦ ମୁଦୁଲିଙ୍କ ପୁଅଙ୍କ ବିବାହ ହୋଇଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତ ହୋଇସାରିଥିଲା । ହେଲେ ହଠାତ ରାତି ଗୋଟାଏ ସୁଦ୍ଧା ଅସୁସ୍ଥ ହୋଇପଡିଲେ ଅରବିନ୍ଦ ମୁଦୁଲି । ପରେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ ପୁଅ । ଡାକ୍ତରଖାନା ଯିବା ବାଟରେ ହେ ପ୍ରଭୁ ହେ ପ୍ରଭୁ ଡାକୁଥିବା ଜଗନ୍ନାଥଙ୍କ ସେବକ ଆଜି ଆରପରିକୁ ଚାଲିଯାଇଛନ୍ତି ।

୧ ସେପ୍ଟେମ୍ବର ୧୯୬୧ ମସିହାରେ ଖୋର୍ଦ୍ଧା ଜିଲ୍ଲାର ଖଣତି ଗାଁରେ ଜନ୍ମ ଗ୍ରହଣ କରିଥିଲେ ଏହି ବିଶିଷ୍ଟ ଭଜନ ଗାୟକ ଅରବିନ୍ଦ ମୁଦୁଲି । ଜନ୍ମାଅଷ୍ଟମୀରେ ଜନ୍ମ ଗ୍ରହଣ କରିଥିବା ଅରବିନ୍ଦ ଦୋଳପୂର୍ଣ୍ଣିମାରେ ଆଖି ବୁଜିଛନ୍ତି । ଭଜନ ସମାଟ୍ର ଭିକାରୀ ବଳଙ୍କ ଶିଷ୍ୟ ଥିଲେ ଅରବିନ୍ଦ । ୧୯୮୫ରୁ ସଂଗୀତ ଦୁନିଆରେ ଯାତ୍ରା ଆରମ୍ଭ କରିଥିଲେ ଅରବିନ୍ଦ । ସଂଗୀତ କ୍ୟାରିୟର ଭିତରେ ତିନି ହଜାରରୁ ଅଧିକ ଭଜନ ଗାଇଛନ୍ତି ଅରବିନ୍ଦ ମୁଦୁଲି । ବାଲି ଖେଳୁଥିଲେ ନନ୍ଦ ସୁତା କଳା କହ୍ନେଇ ଗୀତ ତାଙ୍କୁ ସଂଗୀତ ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଅରବିନ୍ଦଙ୍କୁ ପ୍ରଥମେ ଅଲ ଇଣ୍ଡିଆ ରେଡ଼ିଓରେ ଗୀତ ପରିବେଷଣ କରିବାର ସୁଯୋଗ ମିଳିଥିଲା । ତାଙ୍କ କଣ୍ଠସ୍ୱରର ଯାଦୁ ସମସ୍ତଙ୍କୁ ବାନ୍ଧି ରଖିଥିବା ବେଳେ ତାଙ୍କୁ ଓଡିଆ ଫିଲ୍ମରେ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ ସେ ତାକୁ ଗ୍ରହଣ କରିନଥିଲେ । ନିଜକୁ ଭଗବାନଙ୍କ ପାଖରେ ସମର୍ପଣ କରି କେବଳ ଭଜନ ଗାଇବା ପାଇଁ ବଦ୍ଧ ପରିକର ଥିଲେ । ନିଜ କ୍ୟାରିୟର ଭିତରେ ସେ କେବଳ ଭଜନ ପରିବେଶଣ କରି ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇଛନ୍ତି । ଯେଉଁ ଯାତ୍ରା ତାଙ୍କୁ ସ୍ୱର ଅରବିନ୍ଦ ବୋଲି ପରିଚୟ ଦେଇଥିଲେ ।
– ଭକ୍ତି ସଂଗୀତ ଗାନ ପାଇଁ ସ୍ୱର ଅରବିନ୍ଦଙ୍କୁ ୧୯୮୧ ମସିହାରୁ ୨୦୧୩ ଭିତରେ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି ।
– କ୍ୟାରିୟରର ପ୍ରଥମ ସମ୍ମାନ ୧୯୮୧ରେ ‘ପିୟୁସ କଣ୍ଠ’ ଗଂଜାମରୁ ମିଳିଥିଲା ।
– ୧୯୮୬ ମସିହାରେ ‘ସ୍ୱର ଶ୍ରୀକ୍ଷେତ୍ର’ ସମ୍ମାନରେ ପୁରୀ ରାଜା ତାଙ୍କୁ ସମ୍ମାନୀତ କରିଥିଲେ ।
– ୧୯୮୯ରେ ସେ ପଲ୍ଲୀ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ ।
– ୧୯୯୧, ୯୨ରେ ‘ଚଲାପଥ ପୁରସ୍କାର’ ଗ୍ରହଣ କରିଥିଲେ ଅରବିନ୍ଦ ମୁଦୁଲି ।
– ୧୯୯୨ ନୟାଗଡରୁ ମିଳିଥିଲା ‘ଭଂଜ କଳ୍ପତରୁ’ ସମ୍ମାନ ।
– ୧୯୯୩ରେ ଜାତୀୟ ସ୍ତରର ‘ଦର୍ପଣ ସମ୍ମାନ’, ‘ବନଦୁର୍ଗା ସମ୍ମାନ’ରେ ସମ୍ମାନିତ ହୋଇଥିଲେ ।
– ୧୯୯୪ ‘କୈବଲ୍ୟ କଣ୍ଠ’ , ସ୍ୱର୍ଣ୍ଣ ଶ୍ରୀକ୍ଷେତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ ।
– ୧୯୯୬ରେ ‘ଦାରୁ ଦିଅଁ’ ସମ୍ମାନ
– ୧୯୯୭ରେ ‘ଭକ୍ତି ସାଗର’ , ‘ସ୍ୱର ଗନ୍ଧର୍ବ’ ସମ୍ମାନ
– ୨୦୦୦ରେ ‘ମହାପୁରଷ ଅରକ୍ଷିତ ଦାସ’ ସମ୍ମାନ
– ୨୦୦୧ରେ ‘ସୁକନିକା’, ‘ଭାବ ରତ୍ନାକର’ ସମ୍ମାନ
– ୨୦୦୨ରେ ‘ଅମୃତ କଣ୍ଠ’, ‘ପ୍ରତିଭା ସମ୍ମାନ’, ‘ମଉଡ଼ମଣି’, ‘ଜନ ସ୍ୱୀକୃତି ସମ୍ମାନ’ ସମ୍ମାନ
-୨୦୦୩ରେ ‘ଶ୍ରେଷ୍ଠ କଣ୍ଠ ଶିଳ୍ପୀ ସମ୍ମାନ’
– ୨୦୦୪ରେ ‘ଭଜନ ସମାଟ୍ର ଭିକାରୀ ବଳ ସମ୍ମାନ’,ସ୍ୱର୍ଣ୍ଣ ଶ୍ରୀ, ‘ବୋଲଗଡ଼ ରତ୍ନ’ ଭଜନ ରସରତ୍ନାକର, ଉତ୍କଳ ସମ୍ମାନ, ସଂଗୀତ ସୁଧାକର,
– ୨୦୦୪-୦୫ରେ ‘ଲାୟନ ଇଂଟରନ୍ୟାସନାଲ ଆୱାଡ’
– ୨୦୦୫ରେ ‘ବଂଶଧରଶ୍ରୀ’, ‘ରାଜୀବ ଗାନ୍ଧୀ ସଦଭାବନା ସମ୍ମାନ’
– ୨୦୦୬ରେ ‘ଭକ୍ତି ରତ୍ନ ସମ୍ମାନ’ ‘ସ୍ୱରାଜ ନିଖିଳ ଉତ୍କଳ ମାଧ୍ୟମିକା ଶିକ୍ଷକ ସଂଘ’

– ୨୦୦୭ରେ ‘ଶ୍ରୀ ଜଗନ୍ନାଥ ସମ୍ମାନ’ ‘କାଂଚି କାବେରୀ ସମ୍ମାନ’, ‘ଭକ୍ତି ପୁୁଷ୍ପାଞ୍ଜଳୀ ସମ୍ମାନ’ ‘ଶ୍ରୀପଦ ସ୍ୱର ସେବକ’ ‘ଭାବ ସମୁଦ୍ର’, ଭଜନ ବୀରକର୍ଣ୍ଣ,
– ୨୦୦୮ରେ ‘ରଙ୍ଗ ବସନ୍ତ ସମ୍ମାନ’, ‘ଭଜନ ରଥ‘, ‘ଗୁରୁ କୃପାସିନ୍ଧୁ ସ୍ମୃତି ସମ୍ମାନ’, ଶ୍ରୀ କ୍ଷେତ୍ର ପ୍ରତିଭା ସମ୍ମାନ, ରଙ୍ଗମ ସମ୍ମାନ, ଶ୍ରୀ ଜଗନ୍ନାଥ ଚେତନା ସମ୍ମାନ,
– ୨୦୦୯ରେ ‘ଶ୍ରୀ ରାଧାକୃଷ୍ଣ ସମ୍ମାନ’,
– ୨୦୧୦ରେ ‘ଚନ୍ଦନ ପ୍ରତିଭା ସମ୍ମାନ’, ସମ୍ମାନ ଆୱାଡ଼, ରଙ୍ଗମ ସମ୍ମାନ, ଗୁରୁ କୃପା ସମ୍ମାନ, ଭୁବନେଶ୍ୱର ଫେଷ୍ଟିଭାଲ ସମ୍ମାନ
– ୨୦୧୧ରେ ‘କୁମାର କବି ସମ୍ମାନ’ ଅଭିନନ୍ଦନିକା ସମ୍ମାନ, ବନିଚିତ୍ର ସମ୍ମାନ, ସୂର୍ଯ୍ୟକ୍ଷେତ୍ର ସମ୍ମାନ
– ୨୦୧୨ରେ କୃପାଜଳ ସମ୍ମାନ
– ୨୦୧୩ରେ ଚଳଚ୍ଚିତ୍ର ଆୱାଡ଼