ଓଡ଼ିଶାରେ ଦିଲ୍ଲୀ ଫର୍ମୁଲା ଆପଣାଇବ କି ବିଜେପି ? କ’ଣ ରହିବ ପ୍ରଶାସନିକ ଅଧିକାରୀଙ୍କ ଭୂମିକା ?

279

କନକ ବ୍ୟୁରୋ : ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସରକୁ ଅନୁମୋଦନ ମିଳିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଔପଚାରିକ ଭାବେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବିଜେପି ଓଡ଼ିଶାରେ ବି ଦିଲ୍ଲୀ ଫର୍ମୂଲା ଆପଣାଇବ କି ବୋଲି ଚର୍ଚ୍ଚା ହେଉଛି । କାରଣ ପୂର୍ବରୁ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନିର୍ବାଚନ ପାଇଁ ଟିକେଟ୍ ଦେଇଥିଲା ।

୨୦୧୫ରେ ବିଜେପି ତରଫରୁ ନିର୍ବାଚନ ଲଢ଼ିଥିଲେ କିରଣ ବେଦୀ । ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ମାତ୍ ଦେବା ପାଇଁ ବିଜେପି ଆଣିଥିଲା ସମ୍ପୂର୍ଣ୍ଣ ନୂଆ ଚେହେରା । ୩୦ ବର୍ଷରୁ ଅଧିକ ସମୟ ଧରି ଜଣେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟରତ ଥିବା କିରଣ ବେଦୀ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓଲ୍ହାଇଥିଲେ । ଟିକେଟ୍ ପାଇଁ ବିଜେପି ତରଫରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିରଣ । ହେଲେ ସେ ଅରବିନ୍ଦ କେଜରିୱାଲଙ୍କୁ ହରାଇବାରେ ସଫଳ ହୋଇପାରିନଥିଲେ । ବିଜେପିରେ ଯୋଗଦେବା ପୂର୍ବରୁ ସେ ଆନ୍ନା ହଜାରେଙ୍କ ନେତ୍ୱତ୍ୱାଧୀନ ଇଣ୍ଡିଆ ଏଗେନଷ୍ଟ କରପ୍ସନ ଆନ୍ଦୋଳନରେ ସକ୍ରିୟ ଥିଲେ ।

ତେବେ ଦିଲ୍ଲୀ ପରି ଆଗାମୀ ବିଧାନସଭା ନିର୍ବାଚନ ଜଣେ ପ୍ରଶାସନିକ ଅଧିକାରରଙ୍କୁ ବିଜେପି ଟିକେଟ୍ ଦେବ ବୋଲି ବୋଲି କୁହାଯାଇଛି । ଅପରାଜିତା ଅବସର ପରେ ସେ ରାଜନୀତିରେ ନୂଆ ଇନିଂସ୍ ଆରମ୍ଭ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏବେ ଅପରାଜିତାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

ଚର୍ଚ୍ଚା ଅନୁସାରେ ରାଜ୍ୟ ରାଜନୀତିରେ ଏକ ବଡ ଭୂମିକାରେ ଅସିବାକୁ ଯାଉଛନ୍ତି ଏହି ପ୍ରଶାସନିକ ଅଧିକାରୀ । କାରଣ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଅପରାଜିତାଙ୍କ ଲୋକସମ୍ପର୍କ ତଥା କାର୍ଯ୍ୟରେ ପ୍ରଦର୍ଶନ ବେଶ୍ ଭଲ ରହିଛି । ଖୋର୍ଦ୍ଧା ଜିଲ୍ଲାପାଳ ହୁଅନ୍ତୁ କି ବିଏମସି କମିସନର ହୁଅନ୍ତୁ କି ସମସ୍ତ ପଦପଦବୀରେ ଥିବାବେଳେ ଅପରାଜିତା ବଶ୍ ଚର୍ଚ୍ଚାରେ ଥିଲେ। ସାଧାରଣ ଲୋକକଙ୍କ ସହିତ ତାଙ୍କର ରହିଛି ଉତ୍ତମ ସମ୍ପର୍କ । ଏଣୁ ଭୁବନେଶ୍ବରରୁ ପ୍ରାର୍ଥୀ ହେଲେ ବିଜେପି ପାଇଁ ସକରାତ୍ମକ ମାହୋଲ ସୃଷ୍ଟି ହେବ ବୋଲି କୁହାଯାଉଛି । ତେବେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଲେ ବିଜେଡ଼ି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ାହେବେ ଅପରାଜିତା ଷଡ଼ଙ୍ଗୀ ।

ସୂଚନାଯୋଗ୍ୟ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଛାକୃତ ଅବସର ଆବେଦନକୁ ଅନୁମୋଦନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅପରାଜିତା । ତାଙ୍କ ସ୍ୱେଛାକୃତ ଅବସରକୁ ଗ୍ରହଣ କରାଯାଇଥିବାରୁ ସେ ଖୁସି ଜାହିର କରିବା ସହ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ଲେଖିଛନ୍ତି, ସକରାତ୍ମକ, ବାସ୍ତବବାଦୀ ଓ ଉତ୍ସାହର ସହିତ ମୋର ପରବର୍ତି ଯାତ୍ରା କରିବି । ଏହା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି । ରାଜ୍ୟ ସରକାର ତାଙ୍କ ଭିଆରଏସକୁ ମଞ୍ଜୁରି ଦେବା ସହ କେନ୍ଦ୍ରକୁ ପଠାଇଥିଲେ । ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ବ ସହ ବୈଠକ ପରେ ଅପରାଜିତା ରାଜନୈତିକ ଦଳରେ ଯୋଗଦାନ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ।