ଟପ୍ପର କହିଲେ ସଫଳତାର ମନ୍ତ୍ର ! ଆଇଏଏସ୍ ପରୀକ୍ଷାରେ କିପରି କୃତକାର୍ଯ୍ୟ ହେଲେ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ଅନୁ କୁମାରୀ?

32

କନକ ବ୍ୟୁରୋ : ଇଚ୍ଛାଶକ୍ତି ଯଦି ଦୃଢ଼ ହୁଏ, ସବୁ ବାଧାବିଘ୍ନକୁ ଅତିକ୍ରମ କରି ଜଣେ ଲକ୍ଷ୍ୟସ୍ଥଳରେ ପହଂଚିପାରେ । ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଅନୁ କୁମାରୀ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ହରିୟାଣାର ଅନୁ କୁମାରୀଙ୍କ କାହାଣୀ ଅନେକ ମହିଳାଙ୍କ ପାଇଁ ପ୍ରେରଣା ଭାବରେ ସାମ୍ନାକୁ ଆସିଛି । ଆଇଏଏସ୍ ହେବାର ସ୍ୱପ୍ନ ପୂରଣ କରିବା ପାଇଁ ନିଜ ୪ବର୍ଷର କୁନି ପୁଅଠାରୁ ବି ଦୂରେଇ ରଖିବାକୁ ପଡ଼ିଥିଲା ଅନୁ କୁମାରୀଙ୍କୁ । ୯ବର୍ଷ ଧରି କରିଆସୁଥିବା ଚାକିରିକୁ ବି ଛାଡ଼ିବାକୁ ପଡ଼ିଥିଲା । ହେଲେ ଫଳ ଯେତେବେଳେ ଆସିଲା ସବୁ ଦୁଃଖ ଭୁଲିଗଲେ ଅନୁ କୁମାରୀ ।

ଛାତିରେ ପଥର ରଖି ଅତି ସ୍ନେହର କୁନି ପୁଅକୁ ପ୍ରାୟ ଦେଢ଼ ବର୍ଷ ଧରି ନିଜଠାରୁ ଦୂରେଇ ରଖିଥିଲେ ଅନୁ କୁମାରୀ । ଅଝଟ ହେଲେ ପୁଅକୁ ବୁଝାଇ ଦେବା ପାଇଁ ମା’ ପାଖରେ ନଥିଲେ । ସଂପର୍କୀୟ ମାଉସୀ ପାଖରେ ଛାଡି ଦେଇ ନିଜ ଏବଂ ପରିବାରର ସ୍ୱପ୍ନ ପୁରଣ ପାଇଁ ମା’ କରୁଥିଲେ ଅନବରତ ପ୍ରାୟସ । ଆଉ ଆଜି ସେହି ସ୍ୱପ୍ନ ପୁରଣ ହୋଇଛି । ହରିୟାଣାର ସୋନିପଥ୍‘ର ଅନୁ କୁମାରୀ ଆଜି ସଫଳତାର ଯେଉଁ ଶୀର୍ଷରେ ପହଂଚିଛନ୍ତି-ହୁଏତ ସବୁ ବାପା-ମାଙ୍କ ଏହି ସ୍ୱପ୍ନ ଥାଏ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ହରିୟାଣାର ଅନୁ କୁମାରୀ । ଘର ପରିବାରର ଦ୍ୱାୟିତ୍ୱ ଭିତରେ ଆଇଏଏସ୍ ହେବାର ସ୍ୱପ୍ନ ପୁରଣ କରିଛନ୍ତି ଅନୁ ।

ଉଚ୍ଚଶିକ୍ଷା ପରେ ଦୀର୍ଘ ୯ ବର୍ଷ ଧରି ଘରୋଇ କଂପାନୀରେ ଚାକିରି କରିବା ପରେ ଆଇଏଏସ୍ ହେବାର ସ୍ୱପ୍ନ ଦେଖିଥିଲେ ଅନୁ କୁମାରୀ । ପ୍ରଥମ ପ୍ରୟାସରେ ମାତ୍ର ଗୋଟିଏ ମାର୍କ କମ୍ ହେବାରୁ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥିଲେ । ଆଉ ତା’ପରେ ନିଷ୍ପତ୍ତି ନେଲେ ଚାକିରି ଛାଡ଼ି କେବଳ ଆଇଏଏସ୍ ପରୀକ୍ଷାରେ ଧ୍ୟାନ ଦେଲେ ।

ବଡ କଥା ହେଉଛି-ଅନୁ କୌଣସି ପ୍ରତ୍ୟକ୍ଷ କୋଚିଂ ମଧ୍ୟ ନେଇ ନାହାଁନ୍ତି । କୋଚିଂ ସେଂଟର ଗୁଡ଼ିକ ଯୋଗାଉଥିବା ଅନଲାଇନ୍ ପାଠ୍ୟକ୍ରମ ପଢ଼ି ହାସଲ କରିଛନ୍ତି ଏହି ସଫଳତା । ଆଉ ଦ୍ୱିତୀୟ ପ୍ରୟାସରେ ସାରା ଦେଶରେ ଅନୁ ହୋଇଛନ୍ତି ଦ୍ୱିତୀୟ ଟପ୍ପର । ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନୁ, ମହିଳାଙ୍କ ସୁରକ୍ଷା ଦିଗରେ କାମ କରିବେ ବୋଲି କହିଥିବା ବେଳେ ଅନୁଙ୍କ ସଫଳତାକୁ ନେଇ ପରିବାର ଲୋକ ବି ଖୁସ୍ । ଜଣେ ମହିଳା ଚାହିଁଲେ ସବୁ କିଛି କରିପାରେ,ଅନୁ କୁମାରୀଙ୍କ ସଫଳତାର କାହାଣୀ ବୋଧେ ଏହା ହିଁ ବୟାନ କରୁଛି ।