ଅନୁଗୁଳରେ ଜମୁଛି ଗଜଲକ୍ଷ୍ମୀ ପୂଜା : ସୁନ୍ଦର ଆଲୋକମାଳାରେ ଝଲସୁଛି ୧୭ କିଲୋମିଟର ପରିମିତ ସହର

502
କନକ ବ୍ୟୁରୋ : ସ୍ୱପ୍ନପୁରୀ ପାଲଟିଛି ଅନୁଗୁଳ ସହର । ରଙ୍ଗୀନ ଆଲୋକମାଲା ସାଙ୍ଗକୁ ସୁଉଚ ତୋରଣରେ ଝଲସୁଛି ପୁରା ସହର । ପୂଜା ବଜାର ବୁଲି ମଣ୍ଡପରୁ ମଣ୍ଡମ ମାଆଙ୍କ ଦର୍ଶନ କରିବା ସହ ମେଳାରେ ଚଟପଟା ଖାଦ୍ୟ ଖାଇବାରୁ ମଜା ଉଠାଉଛନ୍ତି ଲୋକେ ।
ଝଟକୁଛି ଅନୁଗୁଳ । ଆକାଶ ମାର୍ଗରୁ ଅନୁଗୁଳକୁ ଦେଖିଲେ ଆଖି ଝଲସି ଯାଉଛି । ସାରା ସହରକୁ ଛାଇ ଯାଇଛି ସୁନ୍ଦର ଆଲୋକମାଳା । ଆଉ ତା ସାଙ୍ଗକୁ ଆକାଶ ଛୁଆଁ ତୋରଣ । ସଂଧ୍ୟା ହେଲେ ବଢୁଛି ସହରର ସୁନ୍ଦରତା । ଏତେ ସବୁ ସଜବାଜ ମାଆ ଧନଦାତ୍ରୀ ପୂଜା ଅବସରରେ । ଲକ୍ଷ୍ମୀପୂଜା ପାଇଁ ୧୭ କିଲୋମିଟର ବ୍ୟାପି ଅନୁଗୁଳ ସହ ସଜେଇ ହୋଇଥିବା ବେଳେ ସଂଧ୍ୟା ହେଲେ ଛୁଟୁଛି ଲୋକଙ୍କ ଭିଡ । ତେବେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଅନୁଗୁଳରେ ଲୋକଙ୍କ ନାହଁ ନଥିବା ଭିଡ ହେଉଛି ।
୧୯୬୦ ମସିହାରୁ ଅନୁଗୁଳ ସହରରେ ଗଜଲକ୍ଷ୍ମୀ ପୂଜା କରାଯାଉଛି । କୁମାର ପୂର୍ଣ୍ଣିମା ଦିନ ଠାରୁ ସହରର ପ୍ରାୟ ୫୦ରୁ ଅଧିକ ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତି ପୂଜା କରାଯାଉଛି । ତେବେ କେଉଁଠି ଲକ୍ଷ୍ମୀ ନାରାୟଣ ତ ଆଉ କେଉଁଠି ଗଜଲକ୍ଷ୍ମୀ ପୂଜା ପାଉଛନ୍ତି । ସହରରେ ସବୁଠାରୁ ଉଚ ତୋରଣ ତିଆରି କରିଛି କାଂଚନବଜାର ପୂଜା କମିଟି । ତେବେ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ସଂଧ୍ୟା ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
ପୂଜା ବୁଲା ସାଙ୍ଗକୁ ଦୋଳିଖେଳ ଓ ଚାଟ୍‌ ଖିଆର ମଜାକୁ କେହି ହାତଛଡା କରୁନାହାଁନ୍ତି । ଆସନ୍ତା କାଲି ତାରିଖରେ ଅନୁଗୁଳରେ ମାଆ ଗଜଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।