କନକ ବ୍ୟୁରୋ : ଆନନ୍ଦବଜାରରେ ସବୁଠୁ ବଡ଼ ସମସ୍ୟା ହକର୍ । ସ୍କ୍ବାଡ୍ ହୁଅନ୍ତୁ କି ମନ୍ଦିର ପ୍ରଶାସନ ଅଧିକାରୀ, କେହି ଏମାନଙ୍କୁ ହଟାଇ ପାରୁନାହାନ୍ତି । ପ୍ରଶାସନର ସ୍ପଷ୍ଟ ନୀତି ନଥିବା ବେଳେ ସୁଆରମାନଙ୍କ ପ୍ରୋତ୍ସାହନରେ ଏମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ଅସମ୍ଭାଳ ହେଉଛି । ପ୍ରତିଦିନ ଭକ୍ତଙ୍କୁ ଠକି ଟଙ୍କା ରୋଜଗାରରେ ଏମାନେ ଲାଗିଛନ୍ତି ।
ଆନନ୍ଦବଜାରରେ ସୁଆରମାନେ ଭୋଗ ବିକିବେ, ଭକ୍ତ ସେମାନଙ୍କଠାରୁ ଭୋଗ କିଣିବେ। ହେଲେ ଏହି ବ୍ୟବସ୍ଥା ମଝିରେ ରହିଛନ୍ତି ହକର୍ମାନେ । ସୁଆରମାନେ ଏହି ହକର୍ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି । ସୁଆରମାନେ ସିଧାସଳଖ ଭୋଗ ବିକିଲେ ଅଧିକ ଦାମ ନେଇପାରିବେ ନାହିଁ । ଯିଏ ବି ଅଧିକ ଦାମ୍ ନେବ, ପ୍ରଶାସନ ନିକଟରେ ଅଭିଯୋଗ ହେଲେ ସମସ୍ୟା ହେବ । ତେଣୁ ସୁଆରମାନେ ହକର୍ ମାନଙ୍କୁ ରଖିଛନ୍ତି । ହକର୍ମାନେ ଭକ୍ତଙ୍କଠାରୁ ଅଧିକ ଆୟ କରିବେ।
ସେଥିରୁ ସୁଆରଙ୍କୁ ଦାବି ମୁତାବକ ଭୋଗ ମୂଲ୍ୟ ଦେଇ ବଳକା ସେମାନେ ପକେଟ୍ରେ ରଖିବେ । ତେଣୁ ସୁଆରମାନଙ୍କ ପ୍ରୋତ୍ସାହନରେ ଆନନ୍ଦବଜାରରେ ହକର୍ମାନଙ୍କ ରାଜୁତି ଚାଲିଛି । ଏକଥା ଜାଣି ମଧ୍ୟ ପ୍ରତିକାର କରିପାରୁନି ସ୍କ୍ବାଡ୍। ସ୍କ୍ବାଡ୍ର କହିବା କଥା, ମନ୍ଦିର ପ୍ରଶାସନ ଆଜିଯାଏ ସ୍ପଷ୍ଟ ନିର୍ଦ୍ଦେଶ କରିନାହିଁ । କିଏ ସୁଆର, କେଉଁମାନେ ସେମାନଙ୍କର ସହାୟକ ତାହା ଜଣାନାହିଁ । ତେଣୁ କେଉଁ ହକର୍ଙ୍କୁ କଢ଼ାଯିବ ବୋଲି ସ୍କ୍ବାଡ୍ କହିଛି । ପ୍ରଶାସନ ପକ୍ଷରୁ ଆଗ ଚିହ୍ନଟ ସରୁ, ଏହା ପରେ ଆନନ୍ଦବଜାରକୁ ଖାଲି କରି ଦିଆଯିବ ବୋଲି ସେମାନେ କହୁଛନ୍ତି ।