ବାତ୍ୟା ଅମ୍ଫାନ ନେଲା ଜୀବନ । କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ । ଓଡ଼ିଶାରେ ୪ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେଲା ପୁନରୁଦ୍ଧାର କାମ

215

କନକ ବ୍ୟୁରୋ : ଅମ୍ଫାନ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ୩ ଜୀବନ ବି ନେଇଛି । ବାତ୍ୟା ଅମ୍ଫାନ ସମୟରେ ଅଘଟଣ ଖବର ବି ସାମ୍ନାକୁ ଆସିଛି । ଭଦ୍ରକ ଓ କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଭଦ୍ରକ ତିହିଡିରେ ବାତ୍ୟା ଯୋଗୁୁ କାଁପଡାରେ ଗାଁରେ କାନ୍ଥ ପଡି ୩ ମାସ ଶିଶୁ କନ୍ୟାର ମୃତ୍ୟୁ । କାନ୍ଥ ତଳେ ଚାପି ହୋଇଯିବାରୁ ଶିଶୁର ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

ସେହିପରି କେନ୍ଦ୍ରାପଡା ଅଂଚଳରେ ଜଣେ ୬୭ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣା ନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ କରାଯାଇ ପାରେ ବୋଲି ସେ କହିଛନ୍ତି । ପାଟକୁରା ଅଂଚଳରେ ଜଣେ ମହିଳା ସମୁଦ୍ରକୁ ସଂଯୋଗ କରୁଥିବା ଏକ ନାଳ ପାଖକୁଯାଇଥିବା ବେଳେ ଉଚ୍ଚ ଜୁଆର ମାଡରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସରକାରୀ ଭାବେ ଏନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ବାତ୍ୟା ଓଡିଶାରେ ତାଣ୍ଡବ ରଚି ଚାଲିଯିବା ପରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ । ଯୁଦ୍ଧକାଳିନ ଭିତିରେ ଭାଙ୍ଗିପଡିଥିବା ଗଛକୁ ରାସ୍ତାରୁ ସଫା କରାଯାଉଛି । ଉପୁଡି ପଡିଥିବା ବିଦ୍ୟୁତ ଖୁଂଟର ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ଏନଡିଆରଏଫର ୪୧ଟି ଟିମ୍ ଓ ଓଡ୍ରାଫ ଟିମ୍ ଗଛ କାଟି ରାସ୍ତା ଉପରୁ ଅବରୋଧ ହଟାଉଛନ୍ତି । ସେହିପରି ବର୍ଷା ପବନ ଯୋଗୁ ଗଛ ଉପୁଡିପଡିଥିବାରୁ ବିଦ୍ୟୁତ ସଂଯୋଗ କାଟିଦିଆଯାଇଥିଲା । ଏବେ ପ୍ରଭାବ କମିବା ପରେ ଧିରେ ଧିରେ ବିଦ୍ୟୁତ ସଂଯୋଗ କାମ ଆରମ୍ଭ ହୋଇଛି । ପ୍ରଭାବିତ ଅଂଚଳରେ ମୋଟ ୩୨୭ଟି ଟିମ୍କୁ ନିୟୋଜିତ କରାଯାଇଛି ବୋଲି ଶକ୍ତି ବିଭାଗ ସୂଚନା ଦେଇଛି । ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଆକଳନ କରାଯିବା ସହ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।