ଦେବଦୂତ ସାଜିଲା ଭାରତୀୟ ବାୟୁସେନା : ୩ ଘଂଟା ଧରି ଫଶିରହିଥିବା ଦୁଇ ମତ୍ସଜୀବୀଙ୍କୁ ବଢ଼ୁଥିବା ବନ୍ୟା ପାଣିରୁ ସୁରକ୍ଷିତ ଉଦ୍ଧାର କଲେ

528

କନକ ବ୍ୟୁରୋ : ସେନା ଦେଲା ନୂଆ ଜୀବନ । ଜମ୍ମୁର ତୱି ନଦୀରେ ଫଶି ରହିଥିବା ଦୁଇ ମତ୍ସ୍ୟଜୀବିଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ବାୟୁସେନାର ବୀର ଯବାନ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ସାମନା କରୁଥିବା ଦୁଇ ମତ୍ସ୍ୟଜୀବୀଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି । ନିଜ ଜୀବନକୁ ବାଜି ଲଗାଇ ଦୁଇ ଜଣଙ୍କୁ ଏୟାରଲିପ୍ଟ କରି ଉଦ୍ଧାର କରିଛନ୍ତି ଭାରତୀୟ ବୀର ଯବାନ ।

ଜମ୍ମୁ-କାଶ୍ମୀରରେ ଆଜି ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଅଚାନକ୍ ଜମ୍ମୁର ତଓ୍ବି ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା । ସମୟ ବଢ଼ୁଥିଲା ଆଉ ଧୀରେ ଧୀରେ ବଢ଼ିଚାଲିଥିଲା ନଦୀର ଜଳପତ୍ତନ । ମଝିରେ ଫସିଥିଲା ଦୁଇ ଜୀବନ । ନଦୀର କଙ୍କ୍ରିଟ ବନ୍ଧ ଉପରେ ବସି ପ୍ରତି ମୁହୁର୍ତ୍ତରେ ମୃତ୍ୟୁକୁ ସାମ୍ନା କରୁଥିଲେ । ତେବେ ଠିକ ସମୟରେ ଦୁଇ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇବା ପାଇଁ ଆକାଶ ମାର୍ଗରୁ ହେଲିକପ୍ଟର ସହାୟତାରେ ସେମାନଙ୍କ ନିକଟରେ ଓହ୍ଲାଇଥିଲେ । ବଢ଼ୁଥିବା ବନ୍ୟା ଜଳକୁ ଖାତିର ନକରି ଉଭୟଙ୍କୁ ଖୁବ କଷ୍ଟରେ ଉଦ୍ଧାର କରିଛନ୍ତି ଭାରତୀୟ ବାୟୁସେନା । ମତ୍ସ୍ୟଜୀବୀଙ୍କୁ ଉପରେ ଛାଡିବା ପରେ ଉଦ୍ଧାର କରିବାକୁ ଯାଇଥିବା ଯବାନଙ୍କୁ ପୁଣି ଏୟାରଲିଫ୍ଟ ଜରିଆରେ ଉପରକୁ ଅଣାଯାଇଥିଲା । ଏପରି ଦୃଶ୍ୟ ଦେଖିଲେ ବାୟୁସେନାର କାର୍ଯ୍ୟକୁ ଯେତେବି ପ୍ରଶଂସା କଲେ ତାହା କମ୍ ହେବ ।

ସୂଚନା ଅନୁଯାୟୀ ଦୁଇ ଜଣ ମତ୍ସ୍ୟଜୀବି ମାଛ ମାରିବାକୁ ଯାଇଥିବାବେଳେ ନଦୀରେ ଅଚାନକ ବନ୍ୟା ପାଣି ମାଡି ଆସିଥିଲା । ଫଳରେ ସେମାନେ ବାହାରକୁ ଆସିପାରିନଥିଲେ । ଆଉ ନଦୀର କଙ୍କ୍ରିଟ ବନ୍ଧ ଉପରେ ଫସି ରହିଥିଲେ ।