ଅମିତାଭଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ : ବିଗ ବିଙ୍କ ସ୍ଥାନରେ ଇମ୍ରାନ ଖାନଙ୍କ ଫଟୋ ଲଗାଇଲା ହ୍ୟାକର

252

କନକ ବ୍ୟୁରୋ : ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟ୍ୱିଟର ଆକାଉଂଟ ହ୍ୟାକ୍ । ବିଗ ବିଙ୍କ ସ୍ଥାନରେ ହ୍ୟାକର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଇଦେଇଛି । ଅମିତାଭଙ୍କ ପ୍ରୋଫାଇଲରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଆକାଉଂଟରେ ଲଭ୍ ପାକିସ୍ତାନ ବୋଲି ଲେଖାଯାଇଛି । ତେବେ ବର୍ତ୍ତମାନ ସମୟରେ ଅମିତାଭଙ୍କ ଆକାଉଂଟ ରିକଭର କରିନିଆ ଯାଇଛି । ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍ ମଧ୍ୟ ଡିଲିଟ୍ କରାଯାଇଛି । ମୁମ୍ବାଇ ପୋଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେବା ସହିତ ଯାଂଚ ଆରମ୍ଭ କରିଦେଇଛି । ମୁମ୍ବାଇର ସାଇବର ସେଲ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଅମିତାଭଙ୍କ ଟ୍ୱିଟର ଆକାଉଂଟ ହ୍ୟାକ୍ କରିବାର ଉଦ୍ଦେଶ୍ୟ କ’ଣ ଥିଲା ଏଯାଏଁ ଜଣାପଡ଼ିନାହିଁ । ବିଗ ବିଙ୍କ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛି ତାହା ସ୍ପଷ୍ଟ ହୋଇନାହିଁ । ହ୍ୟାକ୍ ପଛରେ ପାକିସ୍ତାନ ସମର୍ଥିତ ହ୍ୟାକରଙ୍କ ହାତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ବଲିଉଡ଼ ଜଗତର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ । ଆଉ ଏହାର ଫାଇଦା ଉଠାଇ ବିଗ ବିଙ୍କୁ ବଦନାମ କରିବାର ପ୍ରୟାସ ହୋଇଛି । ସୋମବାର ଦିନ ହ୍ୟାକ ହୋଇଛି ଅମିତାଭ ବଚ୍ଚନଙ୍କ ଟ୍ୱିଟର ହ୍ୟାଣ୍ଡେଲ । ମେଗାଷ୍ଟାର ପ୍ରାୟତଃ ଟ୍ୱିଟର ଜରିଆରେ ତାଙ୍କ ମନକଥା ଖୋଲି ଲୋକଙ୍କ ପାଖରେ ରଖୁଥିଲେ । । ଟ୍ୱିଟର ଓ ଇନଷ୍ଟ୍ରାଗ୍ରାମ ଆଦି ପ୍ଲାଟର୍ଫମ ଜରିଆରେ ଅମିତାଭ ପ୍ରଶଂସକଙ୍କ ସହ ଯୋଡ଼ିହୋଇଥିଲେ ଏବଂ ସମସ୍ତ ଅପଡ଼େଟ୍ ଦେଉଥିଲେ । ବିଗ୍ ବିଙ୍କ ଆକାଉଂଟ ହ୍ୟାକ ହେବାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଫଟୋ ଆସିବା ସହ ତାଙ୍କ ଆକାଉଣ୍ଟର କିଛି ବ୍ୟକ୍ତିଗତ ତଥ୍ୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ମେଗାଷ୍ଟାରଙ୍କ ଆକାଉଂଟ ହ୍ୟାକ୍ ହେବାକଥା ତାଙ୍କ ଫ୍ୟାନ୍ ତଥା ସୋସିଆଲ ମିଡ଼ିଆରେ ପ୍ରଚାର ହୋଇସାରିଛି ।

ତେବେ ଗତବର୍ଷ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ଆକାଉଂଟ ମଧ୍ୟ ହ୍ୟାକ୍ କରାଯାଇଥିଲା । ଟ୍ୱିଟର ଆକାଉଂଟ ହ୍ୟାକ ହେବାପରେ ବିଗ ବି ପୁଣି ସୋସିଆଲ ମିଡ଼ିଆରେ ସକ୍ରିୟ ହେବେ କି ନାହିଁ ତାହା ବଡ଼ ପ୍ରଶ୍ନ ରୂପେ ଉଭା ହେଉଛି । କାରଣ ଆକାଉଂଟରେ ଲଭ ପାକିସ୍ତାନ ଲେଖାଯିବା ପରେ ସ୍ପଷ୍ଟ ହେଉଛି କେହି ଜଣ ତାଙ୍କ ବଦନାମ କରିବା ପାଇଁ ଅପଚେଷ୍ଟା କରୁଛି । ଆଗକୁ ବିଗ ବି ଖୁବ ସତର୍କତା ସହ ସୋସିଆଲ ମିଡ଼ିଆର ବ୍ୟବହାର କରିବେ ବୋଲି ଅନୁମାନ ହେଉଛି ।