ପୁଣି ଥରେ ସିବିଆଇ ନିର୍ଦ୍ଦେଶକ ଭାର ସମ୍ଭାଳିଲେ ଆଲୋକ ବର୍ମା ! ସ୍ୱାଗତ କଲେ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓ

136

କନକ ବ୍ୟୁରୋ : ଦୀର୍ଘ ଦିନର ବିବାଦ ପରେ ପୁଣି ଥରେ ସିବିଆଇର ନିର୍ଦ୍ଦେଶକ ଭାର ସମ୍ଭାଳିଛନ୍ତି ଆଲୋକ ବର୍ମା । ସିବିଆଇ କାର୍ଯ୍ୟାଳୟରେ ପହଁଚିବା ପରେ ଆଲୋକ ବର୍ମାଙ୍କୁ ନାଗେଶ୍ୱର ରାଓ ସ୍ୱାଗତ କରିଥିଲେ । ଗତକାଲି ଆଲୋକ ବର୍ମାଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ଭୂଲ ବୋଲି ଦର୍ଶାଇଥିଲେ । ଆଲୋକ ବର୍ମାଙ୍କୁ କେନ୍ଦ୍ରସରକାର ରାତି ଅଧିଆ ଛୁଟିରେ ପଠାଇଦେବାକୁ ସର୍ବୋଚ୍ଚ ଅଦାଲତ ଭୁଲ ବୋଲି କହିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପୁଣି ଥରେ ସିବିଆଇର ନିର୍ଦ୍ଦେଶକ ଭାର ସମ୍ଭାଳିଛନ୍ତି ଆଲୋକ ବର୍ମା । ଆଲୋକ ବର୍ମାଙ୍କ ଅନୁପସ୍ଥିତିରେ ନାଗେଶ୍ୱର ରାଓ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଅନ୍ୟପଟେ ଆସନ୍ତା ଏକ ସପ୍ତାହ ଯାଏଁ ଆଲୋକ ବର୍ମା କୌଣସି ନୀତିଗତ ନିଷ୍ପତି ନେଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ଅନ୍ୟପଟେ ଆଲୋକ ବର୍ମାଙ୍କ ଭବିଷ୍ୟତ ଏକେ ଏକ ସିଲେକ୍ସନ କମିଟି ହାତରେ ରହିଛି । ଆଜି ଏହି ସିଲେକ୍ସନ କମିଟିର ସଦସ୍ୟଙ୍କ ନାଁ ଘୋଷଣା ହୋଇଛି । ଏହି କମିଟିରେ ଜଷ୍ଟିସ ଏକେ ସିକରି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓ ଲୋକସଭାର ବିରୋଧୀ ଦଳ ନେତା ଭାବେ ମଲ୍ଲିକାର୍ଜୁନ ଖଡଗେ ଏହାର ସଦସ୍ୟ ରହିବେ । ଏହି କମିଟିରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ସାମିଲ ହେବାର ଥିଲା । କିନ୍ତୁ ତାଙ୍କ ନାଁ ଏହି କମିଟିରେ ନଥିବା ଜଣାପଡିଛି ।

ସୂଚନାଯୋଗ୍ୟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ଭିତରେ ଲଢେଇରୁ ଆରମ୍ଭ ହୋଇଥିଲା ଏହି ପୁରା ବିବାଦ । ଦୁହେଁ ପରସ୍ପର ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିବାପରେ ଅକ୍ଟୋବର ୨୩ତାରିଖରୁ ଦୁହିଁଙ୍କୁ ଛୁଟିରେ ପଠାଇ ଦେଇଥିଲେ କେନ୍ଦ୍ର ସରକାର । ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆଲୋକ ବର୍ମା ।