ରାଜଧାନୀରେ ବର୍ଷକୁ ବର୍ଷ ବଢ଼ିଚାଲିଛି ଗାଡ଼ି ପଞ୍ଜୀକରଣ ସଂଖ୍ୟା ! ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ବରରେ ଖୋଲିବ ଆଉ ଏକ ଆରଟିଓ

105

କନକ ବ୍ୟୁରୋ : ରାଜଧାନୀରେ ଯାନବାହନ ବୃଦ୍ଧିକୁ ନଜରରେ ରଖି ଆଉ ଏକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ଖୋଲିବାକୁ ପରିବହନ ବିଭାଗ ଯୋଜନା କରୁଛି । ଭୁବନେଶ୍ବର (ଏକାମ୍ର) ଅଞ୍ଚଳକୁ ନଜରରେ ରଖି ଏହି ନୂଆ ଆର୍‌ଟିଓ ଅଫିସ୍ ଖୋଲିବ । ଏହାର ନାମ ଏକାମ୍ର ଆରଟିଓ ରହିବ । ଏହା ଉତ୍ତରା ଛକ ନିକଟରେ ନିର୍ମାଣ ହେବ।  ଏଥିପାଇଁ ପରିବହନ କମିସନର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି । ପରିବହନ କମିସନରଙ୍କ ପ୍ରସ୍ତାବ ଅନୁଯାୟୀ, ଆରଟିଓ, ଭୁବନେଶ୍ବର-୧କୁ ଭୁବନେଶ୍ବର ସେଣ୍ଟ୍ରାଲ ଆରଟିଓ କରାଯିବ । ଭୁବନେଶ୍ବର-୨ ଆରଟିଓକୁ ଭୁବନେଶ୍ବର ଉତ୍ତର ଆରଟିଓ କରାଯିବ । ଆଉ ନୂଆକରି ଭୁବନେଶ୍ବର ଏକାମ୍ର ଆରଟିଓ ଖୋଲିବ। ମୁଖ୍ୟତଃ ବାଲିପାଟଣା, ବାଲିଅନ୍ତା, ଉତ୍ତରା ଆଦି ଅଞ୍ଚଳର ଲୋକଙ୍କୁ ନଜରରେ ରଖି ଏହା ଖୋଲିବାକୁ ଯୋଜନା ହେଉଛି ।

ଏବେ ଭୁବନେଶ୍ବର-୧, ଆରଟିଓ ଉପରେ ଅଧିକ ଚାପ ପଡ଼ୁଥିବାରୁ ଏହାକୁ ନଜରରେ ରଖି ଏପରି କରିବାକୁ ଯୋଜନା ହେଉଛି । ପରିବହନ ବିଭାଗର ସୂଚନା ଅନୁଯାୟୀ, ଭୁବନେଶ୍ବର-୧ ଆରଟିଓରେ ୨୦୧୬ରେ ୫୯୯୫୦ଟି ଗାଡ଼ି ପଞ୍ଜୀକୃତ ହୋଇଥିବାବେଳେ ୪୬୦୨୬ଟି ଡ୍ରାଇଭିଂ ଲାଇସେନ୍ସ ଇସ୍ୟୁ ହୋଇଛି । ୨୦୧୭ରେ ୭୧୯୯୦ଟି ଗାଡ଼ି ପଞ୍ଜୀକୃତ ହୋଇଥିବାବେଳେ ୫୨୫୭୮ଟି ଲାଇସେନ୍ସ ଏବଂ ୨୦୧୮ରେ ୭୭୫୮୦ଟି ଗାଡ଼ି ପଞ୍ଜୀକୃତ ହୋଇଥିବାବେଳେ ୪୮୪୯୪ଟି ଡ୍ରାଇଭିଂ ଲାଇସେନ୍ସ ଇସ୍ୟୁ ହୋଇଛି । ଆରଟିଓ-୨ରେ ଏବେ ବର୍ଷକୁ ପ୍ରାୟ ୨୦ହଜାର ଗାଡ଼ି ପଞ୍ଜୀକରଣ ହେଉଥିବା ଜଣାପଡ଼ିଛି ।

ଆରଟିଓ-୧ ଉପରେ ଚାପ ଅଧିକ ପଡ଼ୁଥିବାବେଳେ ଜାତୀୟ ରାଜପଥରେ ବି ଅସମ୍ଭାଳ ଭିଡ଼ ଜମୁଛି । ଏହାକୁ ନଜରରେ ରଖି ଏକାମ୍ର ଆରଟିଓ ପ୍ରତିଷ୍ଠା କରିବାକୁ କୁହାଯାଇଛି। ଭୁବନେଶ୍ବର ଆରଟିଓ-୨, ୨୦୧୩ ମସିହାରେ ପ୍ରତିଷ୍ଠା ହୋଇଥିଲେ ହେଁ ଆରଟିଓ-୧ର ଭିଡ଼ କମୁନି । ବର୍ଷକୁ ବର୍ଷ ଗାଡ଼ି ପଞ୍ଜୀକରଣ ସଂଖ୍ୟା ବଢ଼ିବା‌ରେ ଲାଗିଛି । ତେଣୁ କମିସନରେଟ୍ ପୁଲିସ ଅଞ୍ଚଳରେ ଥିବା ବିଭିନ୍ନ ଥାନା ଅନୁଯା‌ୟୀ ତିନିଟି ଆରଟିଓ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ରାଜ୍ୟରେ ଆଉ ୫ଟି ନୂଆ ଆରଟିଓ ଖୋଲିବ ।

ନୂଆ ଆରଟିଓରେ ଜଣେ ଲେଖାଏଁ ଆରଟିଓ, ଦୁଇଜଣ ଅତିରିକ୍ତ ଆରଟିଓ, ଜଣେ ଆଇଏମ୍‌ଭି, ଜଣେ ଆସିଷ୍ଟାଣ୍ଟ ଏମ୍‌ଭିଆଇ, ଜଣେ ଆସିଷ୍ଟାଣ୍ଟ ଆରଟିଓ, ତିନି ଜଣ ଜୁନିଅର ଏମ୍‌ଭିଆଇ, ଜଣେ ଇନସ୍ପେକ୍ଟର ଟ୍ରାଫିକ, ୩ଜଣ ଟ୍ରାଫିକ୍‌ ଏସ୍‌ଆଇ, ୩ଜଣ ଟ୍ରାଫିକ ଏଏସ୍ଆଇ, ୧୫ଜଣ ଟ୍ରାଫିକ କନ୍‌ଷ୍ଟେବଳ, ଜଣେ ମୁଖ୍ୟ କିରାଣି, ୨ଜଣ ବରିଷ୍ଠ କିରାଣି, ୩ଜଣ କନିଷ୍ଠ କିରାଣି, ୫ଜଣ ଡିଇଓ, ଜଣେ ଝାଡ଼ୁଦାର, ଜଣେ ପିଅନ ରହିବେ ।

ଏକାମ୍ର ଆରଟିଓ ଅଧୀନରେ ଏୟାରଫିଲ୍ଡ, ଧଉଳି, ଲିଙ୍ଗରାଜ, ବାଲିପାଟଣା, ବାଲିଅନ୍ତା, ବଡ଼ଗଡ଼ ଏବଂ ଏୟାରପୋର୍ଟ ଥାନା ଅଞ୍ଚଳ ରହିବ । ଭୁବନେଶ୍ବର ସେଣ୍ଟ୍ରାଲ ଆରଟିଓ ଅଧୀନରେ ସହିଦନଗର, କ୍ୟାପିଟାଲ, ଖାରବେଳ ନଗର, ଖଣ୍ଡଗିରି, ଲକ୍ଷ୍ମୀସାଗର, ତମାଣ୍ଡୋ ଥାନା ରହିବ ।  ଭୁବନେଶ୍ବର ଉତ୍ତର ଆରଟିଓ ଅଧୀନରେ ନନ୍ଦନକାନନ ଥାନା, ଚନ୍ଦକା, ମଞ୍ଚେଶ୍ବର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଥାନା ଅଞ୍ଚଳ ରଖିବାକୁ ଯୋଜନା ଅଛି ।