ମୋମୋ ପରେ ଓଡ଼ିଶାରେ ଏବେ ଅଲିଭିଆ ହୋକ୍ସ ଆତଙ୍କ : ଟାର୍ଗେଟରେ ଛାତ୍ରଛାତ୍ରୀ, ଅଜଣା ମୋବାଇଲ୍ ନମ୍ବରରୁ ଆସୁଥିବା ମେସେଜକୁ ନଖୋଲିବାକୁ ପରାମର୍ଶ

60

ବ୍ଲୁ ହ୍ୱେ୍ୱଲ୍, କିକି ଚ୍ୟାଲେଞ୍ଜ, ମୋମୋ ପରେ ଓଡ଼ିଶାରେ ଏବେ ପଶିଛି ଅଲିଭିଆ । ହ୍ଵାଟସ୍ଆପରେ ଆସୁଥିବା ଏକ ଅନଲାଇନ୍ ସ୍ପାମ୍ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଛି । ମୁଖ୍ୟତଃ କୋମଳମତି ଶିଶୁଙ୍କ ପ୍ରାଣହାନୀ କରିବାକୁ ବିଦେଶର ସାଇବର୍ ଅପରାଧୀ ଏ ପ୍ରକାର ସ୍ପାମ୍ ବ୍ୟବହାର କରୁଥିବା କୁହାଯାଉଛି । ଓଡ଼ିଶାରେ ଅଲିଭିଆ ପଶିବା ପରେ ଆତଙ୍କ ସୃଷ୍ଟି ହେଲାଣି । ଏନେଇ ଗତକାଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଅବିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଆଗୁଆ ସତର୍କ କରିଦିଆଯାଇଛି । କୌଣସି ଅଜଣା ମୋବାଇଲ୍ ନମ୍ବରରୁ ଆସୁଥିବା ମେସେଜ୍କୁ ଇନଭକ୍ସରେ ନଖୋଲିବାକୁ ପରାମର୍ଶ ଦିଆଯାଇଛି । ପିଲାମାନଙ୍କ ନିକଟରୁ ମୋବାଇଲ୍କୁ ଦୂରେଇ ରଖିବାକୁ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି  ।

ଅଲିଭିଆ ହୋକ୍ସ ଏକ ଅନଲାଇନ୍ ହ୍ଵାଟସ୍ଆପ୍ ସ୍ପାମ୍ । ମୁଖ୍ୟତଃ ଛାତ୍ରଛାତ୍ରୀଙ୍କୁ ଏହି ସ୍ପାମ୍ ଟାର୍ଗେଟ କରୁଛି । ପ୍ରଥମେ ଏହି ସ୍ପାମ୍ ଛାତ୍ର କିମ୍ବା ଛାତ୍ରୀଙ୍କୁ ମେସେଜ୍ ପଠାଇ ଜଣେ ବନ୍ଧୁଙ୍କ ବନ୍ଧୁ ଭାବରେ ନିଜକୁ ପରିଚୟ ଦେଉଛି । ସେ ନୂଆ ନମ୍ବର ଆଣିଥିବାରୁ ଏହି ନମ୍ବରଟି ସେଭ୍ କରିବାକୁ ଅଲିଭିଆ କହୁଛି । ସମ୍ପୃକ୍ତ ଛାତ୍ର କିମ୍ବା ଛାତ୍ରୀ ସେଭଳି ସେଭଳି କୌଣସି ବନ୍ଧୁଙ୍କୁ ଚିହ୍ନିନଥିବା କହିଲେ, ଅଲିଭିଆ ଅନେକ ଦିନ ତଳେ ସେମାନଙ୍କର ଏକ ଗ୍ରୁପ୍ ଫଟୋ ହ୍ଵାଟସ୍ଆପରେ ପଠାଇବାକୁ ସାଙ୍ଗେସାଙ୍ଗେ କହୁଛି । ଆଉ ଅଲିଭିଆ ଏକ ଫଟୋ ମଧ୍ୟ ପଠାଉଛି ।  ଲିଙ୍କଟି ଖୋଲିଲେ ସେଥିରେ ଗ୍ରୁପ ଫଟୋ ଥିବା କଥା ଦାବି କରୁଛି ଅଲିଭିଆ । ଲିଙ୍କ୍ ଖୋଲିବା ମାତ୍ରକେ ମୋବାଇଲ୍ ହ୍ୟାକ୍ ଏବଂ ଛାତ୍ର କିମ୍ବା ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି ।

ଅନ୍ୟପଟେ ଅଲିଭିଆ ନିଜକୁ ହ୍ଵାଟସ୍ଆପ୍ର ସ୍ୱୀକୃତିପ୍ରାପ୍ତ ଏକ ସଂସ୍ଥା ବୋଲି ଦାବି କରୁଛି । କିନ୍ତୁ ହ୍ଵାଟସ୍ଆପ୍ କର୍ତ୍ତୃପକ୍ଷ ଏହାକୁ ସିଧାସଖଳ ଖଣ୍ଡନ କରିଛନ୍ତି । ଅଲିଭିଆ ଏକ ଅନଲାଇନ୍ ସ୍ପାମ୍ ହୋଇଥିବା ବେଳେ ଅଜଣା ନମ୍ବରରୁ ହ୍ଵାଟସ୍ଆପରେ ଆସୁଥିବା କୌଣସି ମେସେଜ୍ କିମ୍ବା ଫୋନ୍ କଲ୍ର ପ୍ରତିଉତ୍ତର ନଦେବାକୁ ପରାମର୍ଶ ଦିଆଯାଇଛି । ବରଂ ଉକ୍ତ ନମ୍ବର ବ୍ଲକ୍ କରିବା ସହିତ ମେସେଜ୍ ଡିଲିଟ୍ କରିଦେବାକୁ ହ୍ଵାଟସ୍ଆପ୍ ପକ୍ଷରୁ କୁହାଯାଇଛି । ଅଲିଭିଆ ଛାତ୍ର କିମ୍ବା ଛାତ୍ରୀଙ୍କୁ ପଠାଉଥିବା ମେସେଜ୍ ଅନ୍ୟ ବନ୍ଧୁଙ୍କୁ ଫର୍ଓ୍ଵାର୍ଡ କରିବାକୁ କହୁଥିବାରୁ ଏହାକୁ ଅଣଦେଖା କରିବାକ ଜରୁରୀ । ନଚେତ୍ ଅଲିଭିଆ ଫାସରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ।

ରାଜ୍ୟର କୋମଳମତି ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆଜି କ୍ରାଇମବ୍ରାଞ୍ଚ ଅଲିଭିଆର କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କରାଯାଇଛି । କେଉଁ ଢଂଗରେ ହ୍ଵାଟସ୍ଆପରେ ମେସେଜ୍ ଆସୁଛି ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି କି ପ୍ରକାର ବିପଦ ସୃଷ୍ଟି କରୁଛି, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ହ୍ଵାଟସଆପରେ କୌଣସି ସନ୍ଦେହଜନକ ମେସେଜ୍ ଆସିଲେ ତାକୁ ଅଣଦେଖା କରିବାକୁ କୁହାଯାଇଛି । ମୋବାଇଲରେ ପିଲାମାନେ କେଉଁ ପ୍ରକାର ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ଏବଂ କେଉଁ ବନ୍ଧୁଙ୍କ ସହିତ କି ପ୍ରକାର ଉଦ୍ଦେଶ୍ୟ ନେଇ ଯୋଗାଯୋଗରେ ରହୁଛନ୍ତି, ଏସବୁ ଉପରେ କଡ଼ା ନଜର ରଖିବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି । ହ୍ଵାଟସ୍ଆପ୍ ବାଦ୍ ଫେସ୍ବୁକ ଏବଂ ଟୁଇଟର୍ ପରି ସୋସିଆଲ୍ ମିଡିଆରେ ପିଲାଙ୍କ ଗତିବିଧି ଉପରେ ନଜର ରଖିବା କ୍ରାଇମବ୍ରାଞ୍ଚ ଆଜି ଏକ ନିର୍ଦ୍ଦେଶାବଳୀ ଜାରି କରିଥିବା କ୍ରାଇମବ୍ରାଞ୍ଚ କାର୍ଯ୍ୟକାଳ ପକ୍ଷରୁ ସୂଚନା ମିଳିଛି ।