ରାଜ୍ୟରେ ‘ଅବଦାନ’ ଯୋଜନା ମାଧ୍ୟମରେ ଅଭିନବ ପ୍ରୟାସ ! ବରିଷ୍ଠ ନାଗରିକଙ୍କୁ ବସରେ ବସାଇବେ ସ୍ୱେଚ୍ଛାସେବୀ

33

କନକ ବ୍ୟୁରୋ : ଉଭୟ ସରକାରୀ ଓ ବେସରକାରୀ ବସରେ ବରିଷ୍ଠ ନାଗରିକଙ୍କ ପାଇଁ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ସେମାନଙ୍କୁ ବସ୍‌ରେ ବସାଇବା ପାଇଁ ମାସିକ ୩ ହଜାର ଟଙ୍କା ପାରିତୋଷିକରେ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ପ୍ରମୁଖ ବସ୍‌ ଷ୍ଟାଣ୍ଡ ଯଥା-ରାଉରକେଲା, ସମ୍ବଲପୁର, କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ସ୍ୱେଚ୍ଛାସେବୀ ନିଯୁକ୍ତ ହେବେ । ବରିଷ୍ଠ ନାଗରିକଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଅବଦାନ’ ଯୋଜନାରେ ଉପରୋକ୍ତ ବ୍ୟବସ୍ଥା ସମେତ ଆଉ କେତେକ ପଦକ୍ଷେପ ନିମନ୍ତେ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ନୀତେନ୍‌ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବରିଷ୍ଠ ନାଗରିକଙ୍କ ଆପତ୍ତି ଶୁଣାଣି ଓ ସମାଧାନ ପାଇଁ ପ୍ରତି ଜିଲ୍ଲାରେ ଅଭିଯୋଗ ସମାଧାନ ବ୍ୟବସ୍ଥା (ସିଏମଏସ୍‌) କାର୍ଯ୍ୟକ୍ଷମ ହେବ । ସିଏମଏସରେ ଜିଲ୍ଲା ପିଛା ଦୁଇଜଣ ଲେଖାଏଁ ସଦସ୍ୟ ନିଯୁକ୍ତ ହେବେ । ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରାପ୍ୟ ଦିଆଯିବ । ଜିଲ୍ଲା ବରିଷ୍ଠ ନାଗରିକ କମିଟି ସହ ସମନ୍ଵୟ ରକ୍ଷା କରି ଏହି ଦୁଇଜଣ ସଦସ୍ୟ ବରିଷ୍ଠ ନାଗରିକଙ୍କୁ ସହାୟତା ଓ ପରାମର୍ଶ ଦେବେ । ବ୍ଲକ୍‌ ସ୍ତରରେ ମଧ୍ୟ ସିଏମଏସ୍‌ କାର୍ଯ୍ୟକାରୀ ହେବ । ସେଥିରେ ୨ ଜଣ ଲେଖାଏଁ ପରାମର୍ଶଦାତା ଓ ସ୍ୱେଚ୍ଛାସେବୀ ପାରିତୋଷିକ ଭିତ୍ତିରେ ନିଯୁକ୍ତ ହେବେ ।

ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ଦୁଃସ୍ଥିତିରେ ସେମାନଙ୍କୁ ସହାୟତା କରିବା ନିମନ୍ତେ ସରକାର ବିଜ୍ଞାପନ ଜରିଆରେ ସଚେତନତା ସୃଷ୍ଟି କରିବେ । ବ୍ରହ୍ମାକୁମାରୀମାନେ ସ୍କୁଲ ଓ କଲେଜ୍‌ରେ ଏ ସଂକ୍ରାନ୍ତ ନୈତିକ ଶିକ୍ଷା ପ୍ରଦାନ କରିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି ।