ବୟସର ଅପରାହ୍ଣରେ ବି କଳାରୁ ତୁଟିନି ମୋହ : ମଞ୍ଚରେ ଉଚ୍ଚ ସ୍ୱରରେ ପାଲା ପରିବେଶଣ କରୁଛନ୍ତି ୯୫ ବର୍ଷର ପାଲା ଗାୟକ ଜଗନ୍ନାଥ ବେହେରା

ଓଡିଶାର ଲୋକକଳା, ସଂସ୍କୃତି ଓ ଐତିହ୍ୟକୁ ବଂଚାଇ ରଖିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ୯୫ ବର୍ଷର ପାଲା ଗାୟକ ଜଗନ୍ନାଥ ବେହେରା । ଚମ ଧୁଡୁ ଧୁଡୁ ହୋଇଗଲାଣି, ତଥାପି କଣ୍ଠରୁ ଖସିନି ସ୍ୱର । ଆଜି ବି ପାଲା ଛାନ୍ଦ ସେହି ସ୍ୱରରେ ଗାଆନ୍ତି ।

406

କନକ ବ୍ୟୁରୋ : ବୟସର ଅପରାହ୍ଣରେ ବି ଜାରି ରହିଛି କଳାପ୍ରେମ । ମଞ୍ଚରେ ଉଚ୍ଚ ସ୍ୱରରେ ଆଜି ବି ପାଲା ପରିବେଶଣ କରୁଛନ୍ତି ୯୫ ବର୍ଷର ପାଲା ଗାୟକ ଜଗନ୍ନାଥ ବେହେରା । ଯାହା ତାଙ୍କୁ ସାରା ଦେଶରେ ପରିଚିତ କରାଇଛି । ରାଜ୍ୟ ସମେତ ରାଜ୍ୟ ବାହାରେ ଓଡିଶାର ଲୋକକଳା, ସଂସ୍କୃତି ଓ ଐତିହ୍ୟକୁ ବଂଚାଇ ରଖିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ଏହି ବିଶିଷ୍ଟ କଳାକାର ।

ମଞ୍ଚରେ ୯୫ ବର୍ଷର ପାଲା ଗାୟକ । ସାଥୀରେ ରହିଛି ୭୨ ବର୍ଷର ଅଭିଜ୍ଞତା । ଚମ ଧୁଡୁ ଧୁଡୁ ହୋଇଗଲାଣି, ତଥାପି କଣ୍ଠରୁ ଖସିନି ସ୍ୱର । ଆଜି ବି ପାଲା ଛାନ୍ଦ ସେହି ସ୍ୱରରେ ଗାଆନ୍ତି । ହାତରେ ଚାମର ଧରି ପାଲା ପରିବେଷଣ କରୁଛନ୍ତି ସୁନାମ ଧନ୍ୟ ପାଲା ଗାୟକ ଜଗନ୍ନାଥ ବେହେରା । ଜଗତସିଂହପୁର ଏରସମା ଅଂଚଳର ମୂଳ ବାସିନ୍ଦା ଜଗନ୍ନାଥ । ଓଡିଆ, ବଙ୍ଗଳା, ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ପାରଙ୍ଗମ ଏହି ଗାୟକ । ପୂର୍ବ ଓ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ପାଲା ପର୍ଦଶନ କରିଛନ୍ତି ରାଉରକେଲାରେ ରହୁଥିବା ଜଗନ୍ନାଥ ବେହେରା ।

ପ୍ରାଚୀନ ଓଡିଆ ଲୋକକଳା, ସାହିତ ଓ ସଂସ୍କୃତିକୁ ପାଲାକୁ ମାଧ୍ୟମରେ ପରିବେଷଣ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀ । ସମ୍ମାନ ଜନକ ସାରଳା ପୁରସ୍କାର ଓ ରାଜ୍ୟ ସଂଗୀତ ନାଟକ ଏକଡାମୀ ପୁରସ୍କାର ଅର୍ଜନ କରିଛନ୍ତି ଜଗନ୍ନାଥ ବେହେରା ।

ସେହିଭଳି ଓଡ଼ିଶାର ସାମାଜିକ ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବାର ଅନ୍ୟତମ ମାଧ୍ୟଣ ଦାସ କାଠିଆ ବି ଆଉ ସେମିତି ଦେଖିବାକୁ ମିଳୁନାହିଁ । ଲୁଚି ଯାଉଥିବା ଏହି କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଆଉ ଏହାର ମଙ୍ଗ ଧରିଛନ୍ତି କିଛି ସଂସ୍କୃତି ପ୍ରେମୀ ଏବଂ ପାଲା ଓ ଦାସକାଠିଆ ଗାୟକ ।