କନକ ବ୍ୟୁରୋ : କଂଗ୍ରେସରେ ଅଡୁଆ ଆହୁରି ବଢିଲା । ଅଲ ଇଣ୍ଡିଆ କଂଗ୍ରେସ କମିଟି- ଏଆଇସିସିରୁ ବାଦ୍ ପଡିଲେ ୯ଜଣ ବିଧାୟକ । ଆଉ ଏହି ଘଟଣା କଂଗ୍ରେସ ରାଜନୀତିରେ ଝଡ ସୃଷ୍ଟି କରିପାରେ । ତଳସରା କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି, ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସେପଟେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ କହିଛନ୍ତି, ଜନତାଙ୍କ ଆଶୀର୍ବାଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ଅଖିଳ ଭାରତ କଂଗ୍ରେସ କମିଟି ପ୍ରକାଶ କରିଥିବା ତାଲିକାରେ ଓଡିଶାର ୯ ଜଣ ବିଧାୟକଙ୍କୁ ସ୍ଥାନ ମିଳିଲାନି । ମୁଖ୍ୟତ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ବିରୋଧ କରି ଆସୁଥିବା ୯ଜଣ କଂଗ୍ରେସ ବିଧାୟକ ଏହି ତାଲିକାରୁ ବାଦ୍ ପଡିଛନ୍ତି । ଜାଣନ୍ତୁୁ ଏଆଇସିସି ଜାରି କରିଥିବା ୭୮ ଜଣିଆ ତାଲିକାରେ କେଉଁ ୯ ଜଣ ବିଧାୟକଙ୍କୁ ସ୍ଥାନ ମିଳିନାହିଁ ।
ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ, ତଳସରା ବିଧାୟକ ପ୍ରଫୁଲ୍ଲ ମାଝି, ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି, ପାରଳାଖେମୁଣ୍ଡି ବିଧାୟକ କେ.ସୂରିୟା ରାଓ, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରକାଶ ବେହେରା, ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ନାଁ ନାହିଁ । ଏପରିକି ଦଳର ବରିଷ୍ଠ ନେତା ଅନନ୍ତ ସେଠୀ ଓ ଗଣେଶ୍ୱର ବେହେରାଙ୍କୁ ମଧ୍ୟ ଏଆଇସିସି ସ୍ଥାନ ଦେଇନାହିିଁ ।
ଏହି ୯ ଜଣ ବିଧାୟକ, ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧୀ ଗୋଷ୍ଠୀ ଭାବେ ଚର୍ଚ୍ଚାରେ ରହିଛନ୍ତି । ଏପରିକି ପ୍ରସାଦଙ୍କ ସଭାପତିତ୍ୱରେ ୨୦୧୯ ନିର୍ବାଚନ ଲଢିବାକୁ ରୋକଠୋକ୍ ମନା କରିଦେଇଛନ୍ତି କିଛି ବିଧାୟକ । କୁହାଯାଉଛି, ଲଗାତର ଭାବେ ପିସିସି ସଭାପତିଙ୍କୁ ବିରୋଧ ମହଙ୍ଗା ପଡିଛି ଏହି ବିଧାୟକଙ୍କୁ ।
ଏଆଇସିସିର ୭୮ ଜଣିଆ ତାଲିକାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଜଗତସିଂହପୁର ବିଧାୟକ ଚିରଂଜୀବ ବିଶ୍ୱାଳ, ଡାବୁ ଗାଁ ବିଧାୟକ ଭୂଜବଳ ମାଝି, ଝାରସୁଗୁଡା ବିଧାୟକ ନବ ଦାସ, କୋରାପୁଟ ବିଧାୟକ କୃଷ୍ଣ ଶଗରିଆ, ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲସେକା ଏବଂ ପ୍ରଦୀପ ମାଝୀଙ୍କ ନାଁ ରହିଛି । ସର୍ବକନିଷ୍ଠ ସଦସ୍ୟ ଭାବେ ନବରଂଗପୁରର ମନସା ତ୍ରିପାଠୀଙ୍କୁ ସ୍ଥାନ ମିଳିଛି ଏଆଇସିସିରେ ।
ଗତ ପଂଚାୟତ ନିର୍ବାଚନରେ ଝାରସୁଗୁଡାରେ ନବ ଦାସଙ୍କ ନେତୃତ୍ୱରେ କଂଗ୍ରେସ ବିଜୟୀ ହୋଇଥିଲା । ଦୃଢ ସଂଗଠନ ଯୋଗୁଁ ନବ ଦାସଙ୍କୁ ଏଆଇସିସି ସଦସ୍ୟ ରଖିଥିବା ଅନୁମାନ କରାଯାଉଛି । ସେହିପରି କୃଷ୍ଣ ଶଗରିଆ ଏବଂ କୈଳାଶ କୁଲସେକାଙ୍କ ପଛରେ ଦକ୍ଷିଣ ଓଡିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଲବି ରହିଥିବା ଚର୍ଚା ହେଉଛି । ନିକଟରେ ବିଜେପୁରରେ ଅମାନତ୍ ହରାଇଛି କଂଗ୍ରେସ । ଦଳର ସଭାପତିଙ୍କୁ ନେଇ ବିବାଦ, ଦାଣ୍ଡରେ ପଡି ହାଟରେ ଗଡିଲାଣି । ଏଭଳି ସ୍ଥିତିରେ ପ୍ରସାଦ, ବିଦ୍ରୋହୀ ବିଧାୟକଙ୍କୁ ଚେକ୍ ଦେଇଥିବା ଚର୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/1-38.jpg)
/kanak/media/post_attachments/wp-content/uploads/2018/03/2-28.jpg)