ଠିକ ଠିକ ସମୟରେ ଔଷଧ ଖାଇପାରିବେ ବୟୋଜ୍ୟେଷ୍ଠ ବ୍ୟକ୍ତି : ଅଷ୍ଟମ ଛାତ୍ର ତିଆରି କଲେ ସ୍ୱତନ୍ତ୍ର ଯନ୍ତ୍ର, ଜାଣନ୍ତୁ କିପରି ଏହା କାମ କରିବ ?

50

ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ବେଳେ ବେଳେ ଠିକ ସମୟରେ ଔଷଧ ଖାଇପାରନ୍ତି ନାହିଁ । କାରଣ ଆଜିକା ବ୍ୟସ୍ତବହୁଳ ଜୀବନରେ ସମସ୍ତ କାମରେ ବ୍ୟସ୍ତ । ଘରର ବଡ଼ ଲୋକଙ୍କ ଧ୍ୟାନ ରଖିବା ପାଇଁ ଘରେ ରହିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ । ଆଉ ବୟସ ବଢ଼ିବା ସଙ୍ଗେ ସଙ୍ଗେ କେଉଁ ସମୟରେ ଔଷଧ ଖାଇବା କଥା  ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଭୁଲିଯାଆନ୍ତି । ଯଦ୍ୱାରା ତାଙ୍କ ରୋଗ ବଢ଼ି ବଢ଼ିଯାଏ । ତେବେ ଆଗକୁ ଏପରି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି । କାରଣ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଔଷଧ ଦେବା ପାଇଁ ତିଆରି ହୋଇସାରିଛି ସ୍ୱତନ୍ତ୍ର ଯନ୍ତ୍ର ।

ଅଷ୍ଟମ ଶ୍ରେଣୀ ଛାତ୍ର ସୂର୍ଯ୍ୟ ନାରାୟଣ ଏପରି ଏକ ଡିଭାଇସ୍ ତଆରି କରିଛନ୍ତି, ଯାହା ଠିକ ଠିକ ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଔଷଧ ଦେଇପାରିବ । ଉକ୍ତ ଯନ୍ତ୍ରରେ ଔଧଷର ନାମ, ଡୋଜ୍ ଓ ସମୟ ସେଟ୍ କରିଦେଲେ ଆପେ ଆପେ ଆଲାର୍ମ ବାଜି ଉଠିବ ଏବଂ ମେସିନ ଔଷଧ ଦେବା ପାଇଁ ପ୍ରସ୍ତୁତ ହୋଇଯିବ । ଔଷଧ ନେବା ପରେ ଆଲାର୍ମ ଆପେ ଆପେ ବନ୍ଦ ହୋଇଯିବ । ଯଦି କେହି ବ୍ୟକ୍ତି ଔଷଧ ନଖାଇ ଆଲାର୍ମ ବନ୍ଦ କରିଦିଏ, ତେବେ ଆଲାର୍ମ ସେଟ୍ କରୁଥିବା ବ୍ୟକ୍ତ ପାଖକୁ ଔଷଧ ଖାଇନାହାନ୍ତି ବୋଲି ମେସେଜ ଚାଲିଯବ । ମେସିନରେ ଥରକରେ ୨୪ ଘଂଟା ପାଇଁ ଔଷଧ ଦେବା ପାଇଁ ସମୟ ସେଟ୍ କରାଯାଇପାରିବ । ଏହି ସ୍ୱତନ୍ତ୍ର ଯନ୍ତ୍ରର ପ୍ରେଜେନଟେସନ ଶନିବାର ଦିନ ଆଇଆଇଟି ପାଟନାର ଆୟୋଜିତ ହେକଥନରେ କରାଯାଇଛି ।

ଏହି ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଥିବା ଛାତ୍ର ସୂର୍ଯ୍ୟ ନାରାୟଣ ୧୩ ବର୍ଷ ବୟସର । ସେ ହେକଥନରେ ସବୁଠାରୁ କମ୍ ବୟସର ପ୍ରତିଯୋଗୀ । ସୂଚନା ଅନୁସାରେ ଡିଭାଇସରେ ଉନ୍ନତ ଧରଣ ସପ୍ଟୱେର ଓ ଜ୍ଞାନକୌଶଳ ବ୍ୟବହାର ହୋଇଛି । ସୂର୍ଯ୍ୟ କହିଛନ୍ତି ତାଙ୍କ ଅଜା ଏକୁଟିଆ ରୁହନ୍ତି । ଆଉ ତାଙ୍କୁ ଠିକ ଠିକ ସମୟରେ ଔଷଧ ଖାଇବାରେ ଅସୁବିଧା ହୁଏ । ଅଜାଙ୍କର ଅସୁବିଧା ଦେଖି ଏପରି ଏକ ଯନ୍ତ୍ର ତିଆରି କରିବା ପାଇଁ ସେ ମନସ୍ଥ କରିଥିଲେ । ତେବେ ଏହି ଯନ୍ତ୍ରକୁ ଅନେକ ଥର ପରୀକ୍ଷା କରାଯାଇଛି । ଆଉ ରେଜଲ୍ଟ ସବୁବେଳେ ଠିକ ହିଁ ଆସିଛି ।

ସୂର୍ଯ୍ୟଙ୍କର ମା’ ତଥା ସହାୟକ ପ୍ରଫେସର ଡଃ ଲୀନା କହିଛନ୍ତି ଏହି ଯନ୍ତ୍ର ତିଆରି କରିବା ପାଇଁ ତାଙ୍କୁ ୪୫୦ ରୁ ୫୦୦ ଟଙ୍କା ଖର୍ଚ୍ଚ ହେଉଛି । ବଜାରରେ ଏହାକୁ ମାତ୍ର ୬୦୦ ଟଙ୍କାରେ ଉପଲବ୍ଧ କରାଯାଇପାରିବ । ସମସ୍ତ ଜ୍ଞାନକୌଶଳର ସୂର୍ଯ୍ୟ ନିଜେ ପ୍ରସ୍ତୁତ କରିଛନ୍ତି ବୋଲି ତାଙ୍କ ମା’ ପ୍ରକାଶ କରିଛନ୍ତି । ଏହାକୁ ସୋଲାର ସିଷ୍ଟମରେ ମଧ୍ୟ ବ୍ୟବହାର କରିହେବ ।