ବଢ଼ିଲା ପ୍ରବଳ ବର୍ଷା ଆଶଙ୍କା, ଅବପାତର ରୂପ ନେଲା ଲଘୁଚାପ ! ପାରାଦୀପରେ ସବୁଠାରୁ ଅଧିକ ବର୍ଷା ରେକର୍ଡ଼

44

କନକ ବ୍ୟୁରୋ : ଅବପାତର ରୂପ ନେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ତେବେ ବାଲେଶ୍ୱର ଠାରୁ ୭୮ କିମି ଦୂରରେ ରହିଛି ଅବପାତ । ତେବେ ଏହା ଗଭୀର ଅବପାତର ରୂପ ନେବ ବୋଲି ଆଶଙ୍କା କରାଯାଇଛି । ଫଳରେ ସମଗ୍ର ଓଡ଼ିଶାର ଅର୍ଦ୍ଧାଧିକ ଅଂଚଳରେ ବର୍ଷା ଲାଗିରହିବ ବୋଲି କୁହାଯାଉଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ । ଆଜି ଦିନ ତମାମ ଭାରି ବର୍ଷା ହେବ । ୧୫ ଟି ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି ।

ତେବେ ସବୁଠାରୁ ଅଧିକ ବର୍ଷା ପାରାଦୀପରେ ରେକର୍ଡ଼ କରାଯାଇଛି । ପାରାଦୀପରେ ସର୍ବାଧିକ ୪୧୨ ଏମଏମ ବର୍ଷା ରେକର୍ଡ଼ ହୋଇଛି । ତା’ପରେ ଚାନ୍ଦବାଲିରେ ୧୯୨.୮, କଟକରେ ୧୦୫. ୪ ମିମି ବର୍ଷା, ଭୁବନେଶ୍ୱରରେ ୯୭ ମିମି ବର୍ଷା ରେକର୍ଡ଼ ହୋଇଛି । ତାଳଚେରରେ ୫୭.୦, ଭବାନୀପାଟଣାରେ ୫୨.୦, ଟିଟଲାଗଡ଼ରେ ୪୫.୦, ବାଲେଶ୍ୱରରେ ୨୦.୯, ଗୋପାଳପୁରରେ ୫.୦, ପୁରୀରେ ୪୦.୦, ଅନୁଗୁଳରେ ୩୪.୦, ବାରିପଦାରେ ୧୧.୦, ଝାରସୁଗୁଡ଼ାରେ ୪.୯, କେନ୍ଦୁଝରରେ ୩୬.୦, ସମ୍ବଲପୁରରେ ୩୩.୪, ସୁନ୍ଦରଗଡ଼ରେ ୧୫.୦, ହୀରାକୁଦରେ ୪୩.. ବଲାଙ୍ଗୀରରେ ୩୮.୦ କୋରାପୁଟରେ ୩୧.୦ ,ଫୁଲାବାଣୀରେ ୪୪.୨ ମାଲକାନଗିରିରେ ୧୮.୦, ସୋନପୁରରେ ୩୩.୦ ଓ ଦାରିଙ୍ଗବାଡ଼ିରେ ୨୭.୦ ମିମି ରେକର୍ଡ଼ ହୋଇଛି ।

ସେପଟେ ଲଗାଣ ବର୍ଷା ଲାଗି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର । ବର୍ଷା ଯୋଗୁଁ ଫୁଲୁଛି ମହାନଦୀ, ବୈତରଣୀ, କୁଶଭଦ୍ରା ଓ ଦେବୀର ଜଳସ୍ତର । ଆଖୁଆପଦାଠାରେ ବିପଦ ସଙ୍କେତ ପାଖରେ ବୈତରଣୀ ପ୍ରବାହିତ ହେଉଛି । ଏଠାରେ ବୈତରଣୀର ବିପଦ ସଙ୍କେତ ୧୭ ଦଶମିକ୍ ଆଠ ତିନି ଥିବାବେଳେ ଏଠାରେ ନଦୀର ଜଳସ୍ତର ୧୭ ଦଶମିକ୍ ସାତ ଶୂନ ରହିଛି । ସେହିପରି ମହାନଦୀ ଅବବାହିକାରେ ଥିବା ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବା କାରଣରୁ ମହାନଦୀ ର ଜଳସ୍ତର ଫୁଲିବାରେ ଲାଗିଛି  ।  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, ନୟାଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ସେହିପରି ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ,ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି ।